ଟ୍ରକ ଧକ୍କାରେ ଭାଙ୍ଗିଲା ଅଟୋ ଅଳ୍ପକେ ବର୍ତିଗଲେ ଦମ୍ପତି
ତାଳଚେର, ୦୭/୦୮ ତାଳଚେର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ବାଇପାସ୍ ଟ୍ରାଫିକ ଛକ ଠାରୁ ମାତ୍ର ୩ଶହ ମିଟର ଦୂର ପବିତ୍ର ମୋହନ ଛକ ଠାରେ ଏକ ଟ୍ରକ ଅଟୋକୁ ଧକ୍କା ଦେବା ଫଳରେ ସେଥିରେ ବସିଥିବା ଦମ୍ପତି ପରିବାର ଅଳ୍ପକେ ମୃତ୍ୟୁ ମୁଖରୁ ବଂଚି ଯାଇଥିବା ହୃଦୟସ୍ପର୍ଶି ଘଟଣା ଏଠାରେ ଚହଳ ପକାଇ ଦେଇଛି । ଏହି ୧୪୯ ନମ୍ବର ଜାତୀୟ ରାଜପଥରେ ହଜାର ହଜାର ଟ୍ରକ ଯାତାୟତ ଯୋଗୁଁ ଟ୍ରାଫିକ ସମସ୍ୟା ଉତ୍କଟ ହେବା ସହ ଧୂଳିଧୂଆଁରେ ଅଂଚଳବାସୀ ତ୍ରାହିତ୍ରାହି ଡ଼ାକ ଦେଉଥିଲେ ମଧ୍ୟ ଏହାକୁ କର୍ଣ୍ଣପାତ କରିବାକୁ ଏଠାରେ କେହି ନଥିବା ସହିତ କେବଳ ଭଗବାନ ଭରଷା କରିବା ସାର ହୋଇଛି । ଆଜକୁ ୫ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଏହି ଜାତୀୟ ରାଜପଥର ୪ଥାକିଆ ରାସ୍ତା଼ ନିର୍ମାଣ କରିବାକୁ ଟେଣ୍ଡର ପରେ ଟେଣ୍ଡର କରି ଅଂଚଳବାସୀଙ୍କୁ ଅଶ୍ୱନା ଦେଇ ଆସୁଥିବା ଏକ ଦୁଃଖର ବିଷୟ ହୋଇଛି । ଏହି ରାଜପଥରେ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟି ଅକାଳରେ କିଛି ଜୀବନ ଚାଲି ଯାଉଥିବା ବେଳେ ଆଉ କିଛି ଅକମର୍ଣ୍ଣ୍ୟ ହୋଇ ନିଜର ଭାଗ୍ୟକୁ ଆଦରି ଜୀବନ ବିତାଉଛନ୍ତି । ଏଠାରୁ ବିଭିନ୍ନ କ୍ଷେତ୍ରରୁ ପ୍ରଚୁର ପରିମାଣରେ ରାଜସ୍ୱ ଯାଉଥିଲେ ହେଁ ଏହି ରାଜପଥର ଉନ୍ନତି ନହେବା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ ଆଉ କେତେ ଦୁର୍ଘଟଣା ଘଟିଲେ ସରକାର ତଥା ଏନଏଚଆଇ ବିଭାଗର ଚେତାପଶିବ ତାହା କେବଳ ଦେଖିବାକୁ ବାକି ରହିଲା ।



