ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରୀଗର
ତାଳଚେର, ୧୩/୦୮: ପାଖେଇ ଆସିଲାଣି ପାର୍ବଣ ଋତୁ । ଆଗାମୀ ଗଣେଶ ପୂଜାକୁ ଦୃଷ୍ଟିରେ ରଖି ମୂର୍ତି କାରିଗରମାନେ ମୂର୍ତ୍ତି ପ୍ରସ୍ତୁତିରେ ନିମଗ୍ନ ଓ କର୍ମତତ୍ପର ରହୁଥିବା ଲକ୍ଷ୍ୟ କରାଯାଇଛି । ସଂପ୍ରତିକ ପରିସ୍ଥିତିରେ ମୂର୍ତି ତିଆରି ପାଇଁ ନତା ଓ ମାଟି ମିଳିବା କଷ୍ଟକର ବ୍ୟାପାର ହୋଇପଡିଛି । ପାର୍ବଣ ଋତୁ ଆସିବାର ଦୀର୍ଘ ଦିନ ପୂର୍ବରୁ ମୂର୍ତି କାରିଗରମାନେ ମୂର୍ତି ନିର୍ମାଣ କରିବାକୁ ଆବଶ୍ୟକ ନଡା ଓ ମାଟି ସଂଗ୍ରହରେ ଲାଗି ପଡିଥାନ୍ତି । ସେପଟେ ଓଡିଆ ମୂର୍ତି କାରିଗରମାନେ ବହୁ ସମସ୍ୟା ମଧ୍ୟରେ ମୂର୍ତ୍ତି ତିଆରି କରୁଥିଲେ ମଧ୍ୟ ବଙ୍ଗାଳୀ କାରିଗରଙ୍କ ହାତ ତିଆରି ଓ ଛାଞ୍ଚରେ ନିର୍ମିତ ମୂର୍ତି ଯୋଗୁଁ ଓଡିଆ କାରିଗରମାନଙ୍କ ମୂର୍ତିର ଚାହିଦା ଦିନକୁ ଦିନ କେତେକ କାରଣରୁ ହ୍ରାସ ପାଇବାରେ ଲାଗିଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଓଡିଆ କାରିଗରଙ୍କ ହାତ ମୂର୍ତିର ଦାମ୍ ତୁଳନାରେ ବଙ୍ଗାଳୀ କାରିଗରଙ୍କ ମୂର୍ତ୍ତିର ଡିଜାଇନ୍ ଓ ସୌନ୍ଦର୍ଯ୍ୟ ଭଲ ହେଉଥିବାରୁ ସେହି ମୂର୍ତ୍ତିକୁ କ୍ରୟ କରିବା ପାଇଁ ବହୁ ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଗଣେଶ ପୂଜା ପାଇଁ ତାଳଚେର ଅଞ୍ଚଳର କେତେକ କାରିଗରଙ୍କ ପାଖରେ ମୂର୍ତ୍ତି ବରାଦ ହୋଇ ଯାଇଥିଲା ବେଳେ ଆଉ କିଛି ଦିନ ମଧ୍ୟରେ ଆହୁରି କିଛି ବରାଦ ଆସିବାର ସମ୍ଭାବନା ରହିଛି । ପାର୍ବଣ ଋତୁରେ ମୂର୍ତ୍ତି ନିର୍ମାଣ କରି ସେଥିରୁ ମିଳୁଥିବା ଅର୍ଥରେ ପରିବାର ପ୍ରତିପୋଷଣ କରୁଥିବା ଓ ମୂର୍ତ୍ତି ତିଆରି ପାଇଁ ହେଉଥୁବା ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳୁଥିବା କାରିଗରମାନେ କହୁଛନ୍ତି । ତାଳଚେର ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଦିନକୁ ଦିନ କୋଠାବାଡି ଗଢି ଉଠିଥିବାରୁ ମୂର୍ତି ନିର୍ମାଣ ପାଇଁ ଚିକିଟା ମାଟିର ଅଭାବ ଅନ୍ୟ ଏକ ସମସ୍ୟl ଭାବେ ଉଭା ହୋଇଛି । ମୂର୍ତ୍ତି ତିଆରି ପାଇଁ ଆବଶ୍ୟକ ପଡ଼ୁଥିବା ଚିକିଟା ମାଟି ବିଲରୁ ସଂଗୃହୀତ ହୋଇଥାଏ । ସେପଟେ ମୂର୍ତ୍ତିରେ ଲାଗୁଥିବା ବିଭିନ୍ନ କିସମର ରଙ୍ଗର ଦର ମଧ୍ୟ ଦିନକୁ ଦିନ ହୁହୁ ହୋଇ ବଢିଚାଲିଛି । ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସନ୍ତା ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅଗ୍ରପୂଜ୍ୟ ଗଣେଶ ପୂଜା ପାଇଁ ବର୍ତ୍ତମାନ ଠାରୁ ସହର ଚଳଚଞ୍ଚଳ ହୋଇଉଠିଲାଣି । ଏଥିପାଇଁ ମୂର୍ତି କରିଗର, ଆୟୋଜକ, ଯୁବପିଢୀ ଓ ଭକ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳୁଛି । ବିଶେଷକରି ଗଣେଶ ପୂଜା ଠାରୁ କାଳୀ ପୂଜା ପର୍ଯ୍ୟନ୍ତ ଅଢେଇ ମାସ ସମୟକୁ ପାର୍ବଣର ଋତୁ ଭାବେ ଗ୍ରହଣ କରାଯାଇଥାଏ । ଗଣେଶ ପୂଜା ପରେ ପାର୍ବଣ ଋତୁ ବିଶ୍ଵକର୍ମା ପୂଜା, ଦୁର୍ଗାପୂଜା କାଳୀ ପୂଜାରେ ସମାପ୍ତ ହୋଇଥାଏ । ଏଥର ପୂଜା ପାର୍ବଣ ଜମିବ ବୋଲି ଉତ୍ସାହୀ ନାଗରିକ ମାନେ କହିଛନ୍ତି ।



