ନାରୀ ସଶକ୍ତିକରଣ ଉପରେ ଆଲୋଚନା ଚକ୍ର
ଭଟଲି,୨୪/୮(ଅଭିମନ୍ୟୁ ପଧାନ):- ଭଟଲି ବ୍ଲକ ଅଧିନସ୍ଥ କମଗାଁ ଯୁକ୍ତ ୨ ମହାବିଦ୍ୟାଳୟର ଶକୁନ୍ତଳା ବିଦ୍ୟାଧର ଛାତ୍ରୀ ନିବାସରେ ନାରୀ ସଶକ୍ତି କରଣକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରଥମେ ମାଁ ରାମଚଣ୍ଡୀଙ୍କ ଫୋଟୋ ଚିତ୍ରରେ ପୂଜା ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶ୍ରୀମତୀ ସିନ୍ଧୁ ନନ୍ଦିନୀ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅଧ୍ୟାପିକା ପାର୍ବତୀ ଭୋଇ ଓ ଡ଼. ଦୀପିକା କୁମାରୀ ମଞ୍ଚାସୀନ ହୋଇଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପିକା ଅନୁପମା ମେହେର ଓ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଦ୍ଵିତୀୟ ବର୍ଷର ବିଜ୍ଞାନ ଛାତ୍ରୀ କୁମାରୀ ସମୀକ୍ଷା ଯୁଆଡ଼ି। ଅଧ୍ୟାପିକା ଅସ୍ମିତା ଭୁଏ ଓ ଗ୍ରନ୍ଥାଗାରିକା କୁମାରୀ ମୋନାଲିସା ଛନ୍ଦ ମୁଖ୍ୟଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ମୁଖ୍ୟ ଅତିଥି ସୁନ୍ଦର ସମ୍ଭାଷଣ ମାଧ୍ୟମରେ ଛାତ୍ରୀ ମାନଙ୍କୁ ନାରୀ ସଶକ୍ତିକରଣର ଉପରେ ଆଲୋକପାତ କରିବା ସହ ତାଙ୍କର ଭବିଷ୍ୟତ ଉଜ୍ବଳ କାମନା କରିଥିଲେ। ନାରୀ ସଶକ୍ତି କରଣକୁ ଗୁରୁତ୍ୱ ଦେଇ ସମାଜ ଗଠନ ରେ ନାରୀର ଭୂମିକା ଉପରେ ଅତିଥି ମାନେ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ରୀ ଅଦିତି, ପ୍ରିୟାଂଶି, ଲିନା, ତ୍ରିଶା, ଯଶ୍ମିନ ଓ ପୂଜା ସ୍ୱାଗତ ସଂଗୀତ ଗାନ କରିଥିଲେ। ପରିଶେଷରେ କୁମାରୀ ଜାଗୃତି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।



