ପାଚିକା ସହାୟିକା ସଂଘର ବୈଠକ
ଢେଙ୍କାନାଳ, ୧/୯: ଏଆଇଟିୟୁସି ସହବନ୍ଧିତ ନିଖିଳ ଓଡିଶା ଏମ୍ଡିଏମ୍ ପାଚିକା ସହାୟିକା ସଂଘର ବୈଠକ ସ୍ଥାନୀୟ ଯାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦିକା ଭାରତୀ ଦାସ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଏହା ମଧ୍ୟରେ କେତେକ ପାଚିକାଙ୍କର ମୃତ୍ୟୁ ହୋଇଯାଇଥିବାରୁ ସେମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଗତ ଫେବୃଆରୀ ମାସ ୧୭ ତାରିଖରେ ବିଧାନସଭା ସମ୍ମୁଖରେ ହୋଇଥିବା ଆନ୍ଦୋଳନର ସମୀକ୍ଷା କରାଯାଇଥିଲା I ସେହିଦିନ ଶିକ୍ଷା ବିଭାଗ ଶାସନ ସଚିବ କେତେଗୋଟି ଦାବୀକୁ ମାନିନେଇ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ନକରିବା କ୍ଷୋଭର ବିଷୟ। ବର୍ତମାନ ରାଜ୍ୟ ସରକାର ସଚିବମାନଙ୍କ ଠାରୁ କ୍ଷମତା ଛଡାଇ ନେଇ ମନ୍ତ୍ରୀମାନଙ୍କ ଦ୍ବାରା କାର୍ଯ୍ୟ କରାଯାଉଛି । ବର୍ଷକୁ ୧୦ ମାସ ବଦଳରେ ୧୨ ମାସର ପାରିଶ୍ରମିକ, ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ, ୨୪ ମାସର ଏରିୟର ଟଙ୍କା ତଦନ୍ତ କରି ପାଚିକାମାନଙ୍କୁ ଦେବା, ବର୍ଷକୁ ୨ଖଣ୍ଡ ଶାଢୀ, ବିଇଓଙ୍କ ଦ୍ବାରା ପାଚିକାମାନଙ୍କୁ ନିଯୁକ୍ତି, କମ୍ ପିଲା ଥୁବା ବିଦ୍ୟାଳୟରେ ୨ ଜଣଙ୍କୁ ନିଯୁକ୍ତି ଦେବା, ଅବସର ସମୟରେ ସତନ୍ତ୍ର ଭାବେ ସହାୟତା ଦେବା ସହିତ ପେନ୍ସନ୍ର ବ୍ୟବସ୍ଥା କରିବା, ପାଚିକାମାନଙ୍କୁ ଶ୍ରମିକର ମାନ୍ୟତା ଦେବା ସହିତ ସର୍ବନିମ୍ନ ମଜୁରୀ ପ୍ରଦାନ ଉପରେ ଆଲୋଚନା କରାଯାଇଥିଲା। ଆସନ୍ତା ୧୮ ତାରିଖରେ ବିଧାନସଭା ଅଧିବେଶନ ବସୁଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏହି ଅସହାୟ ପାଚିକାମାନଙ୍କର ମୌଳିକ ଦାବୀ ଗୁଡିକ ସହୃଦୟର ସହିତ ବିଚାର ବିମର୍ଷ କରି ଏହାକୁ କାର୍ଯ୍ୟକାରୀ କରିବାକୁ ଆଶା କରୁଛୁ। ଗତ ମଇ ମାସ ୫ ତାରିଖରେ ହୋଇଯାଇଥିବା ସର୍ବ ଭାରତୀୟ ଦାବୀ ଦିବସ ଆନ୍ଦୋଳନର ସମୀକ୍ଷା କରାଯାଇଥିଲା । ଦାବୀ ଗୁଡିକ ଉପରେ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକଲେ ଆସନ୍ତା ୨୦ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାରେ ଆନ୍ଦୋଳନ ସଂଗଠିତ କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯିବ । ଏହି ଆନ୍ଦୋଳନରେ ରାଜ୍ୟରେ ଗଢି ଉଠିଥିବା ଅନ୍ୟ ପାଚିକା ସଂଘ ଗୁଡିକ ଏହି ଆନ୍ଦୋଳନରେ ସାମିଲ୍ ହେବାକୁ ଅନୁରୋଧ କରାଗଲା । ଏହା ସହିତ ବଜାରରେ ଯେପରି ଭାବରେ ଦରଦାମ୍ ବୃଦ୍ଧି ଘଟିବାରେ ଲାଗିଛି ଏଥିରେ ଗୋଟିଏ ପାଚିକା ପରିବାର ମାସକୁ ୩ ହଜାର ଟଙ୍କାରେ କିପରି ଚଳିବ ବୋଲି ଶ୍ରୀ ରଥ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟିକରଣ ଦାବୀ କରିଛନ୍ତି । ଉକ୍ତ ବୈଠକରେ ଅନୁପମା ମହାରଣା, ଦୀପ୍ତିମୟୀ ଷଡଙ୍ଗୀ, ଏଆଇଟିୟୁସି ଜିଲ୍ଲା ସଂପାଦକ ନାରାୟଣ ନାୟକ, ନିଖିଳ ଓଡିଆ ଅଙ୍ଗନବାଡି କର୍ମୀ ସଂଘର ସଦର ବ୍ଲକ୍ ସଭାପତି ସୁଜାତା ନାୟକ ଯୋଗଦେଇଥିଲେ ।



