
” *ସଂଯୁକ୍ତ କୃଷକ ସଂଗଠନ ତରଫରୁ ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟରେ ତାଲା ପକାଇ ଚାଷୀଙ୍କ ଆନ୍ଦୋଳନ”* ବରଗଡ:୧/୮(ପବିତ୍ର ମେହେର) ନୂତନ ଧାନ ପଞ୍ଜିକରଣ ସମସ୍ୟାର ସମାଧାନ ନ ହେବା କାରଣରୁ ଜିଲ୍ଲାରେ ହଜାର ହଜାର ପ୍ରକୃତ ଚାଷୀ ଧାନ କାର୍ଡ ତିଆରି କରିବାରୁ ବଞ୍ଚିତ ହୋଇଛନ୍ତି। ସେଥିପାଇଁ ସଂଗଠନ ପକ୍ଷରୁ ଗତ ୨୬ ତାରିଖରେ ପ୍ରଥମେ ଜିଲ୍ଲାପାଳ,ଅତାବିରା ବିଧାୟକ ନିହାର ମହାନନ୍ଦ, ବରଗଡ଼ ବିଧାୟକ ଅଶ୍ୱିନୀ ଷଢଙ୍ଗୀ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରକୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଥିଲା। ମନ୍ତ୍ରୀ ଚାଷୀମାନଙ୍କ ସହିତ ଆଲୋଚନା କଲାପରେ କୌଣସି ପ୍ରକୃତ ଚାଷୀ ପଞ୍ଜିକରଣରୁ ବାଦ ପଡିବେ ନାହିଁ ଏବଂ ଜିଲ୍ଲାପାଳ ଯେଉଁ ରିପୋର୍ଟ ଦେବେ ସେହି ଆଧାରରେ ପଞ୍ଜିକରଣ ଅବଧି ବଢିବ ଓ ପଞ୍ଜିକରଣ କରିପାରିବେ ବୋଲି କହିଥିଲେ।

ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତ ଯୋଗ୍ୟ ଚାଷୀ ପଞ୍ଜିକୃତ ହେବେ ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ। ହେଲେ ଇତି ମଧ୍ୟରେ ସାତ ଦିନ ବିତି ଯାଇଥିଲେ ସୁଦ୍ଧା କୌଣସି ପଞ୍ଜିକରଣ ଆରମ୍ଭ ହୋଇ ନ ଥିବାରୁ ବଞ୍ଚିତ ଚାଷୀମାନେ ଆଜି ସକାଳୁ ଉପନିବନ୍ଧକ କାର୍ଯ୍ୟାଳୟକୁ ଆସି ପଞ୍ଜିକରଣ ସମ୍ପର୍କରେ ପଚାରି ବୁଝିଥିଲେ। କିନ୍ତୁ କୌଣସି ସନ୍ତୋଷ ଜନକ ଉତ୍ତର ନ ମିଳିବାରୁ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନଙ୍କୁ ବାହାର କରି ଦେଇ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ଦୀର୍ଘ ତିନି ଘଣ୍ଟା ପରେ DRCS ଯୁଗଳ ଦାସ ଜନ ଶୁଣାଣି କାର୍ଯ୍ୟକ୍ରମରୁ ସିଧା ଅଫିସକୁ ଆସି ଚାଷୀମାନଙ୍କ ସହିତ ଆଲୋଚନା କଲେ ଏବଂ ୨୫ତାରିଖ ପର୍ଯ୍ୟନ୍ତ ଯେଉଁମାନେ ସୋସାଇଟିରେ ନିଜର କାଗଜପତ୍ର ଦେଇଛନ୍ତି ସେମାନେ ନିଶ୍ଚିତ ପଞ୍ଜିକୃତ ହୋଇପାରିବେ ବୋଲି କହିବା ପରେ ତାଲା ଖୋଲି ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା । ଯଦି ଆଲୋଚନା ମୁତାବକ ଆସନ୍ତା ଗୁରୁବାର ଦିନ ସୁଦ୍ଧା ପଞ୍ଜିକରଣ ଆରମ୍ଭ ନ ହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଂଗଠନ ତରଫରୁ ଦୃଢ଼ ଚେତାବନୀ ଦିଆଯାଇଛି। ଏହି ଆନ୍ଦୋଳନରେ ରମେଶ ମହାପାତ୍ର, ସୁଦାମ ପାତ୍ର, ନିରଞ୍ଜନ ପଧାନ, ସୁରେଶ ନିକେଣ୍ଟି, ସୁରେଶ କର୍ଣ୍ଣ, ରବିଶଙ୍କର ପଧାନ, କାରଣ ସାହୁ, ଈଶାନ୍ତ ଭୋଇ, ମନୋଜ ଖମାରୀ କୋଶଲ ସେନାର ବୀରବଳ ମହାକୁଡ଼ଙ୍କ ସମେତ ଜିଲ୍ଲାର ବିଭିନ୍ନ ଗ୍ରାମରୁ ଶହଶହ ଚାଷୀ ଯୋଗ ଦେଇଥିଲେ।




