ନୂଆପଡା: ନୂଆପଡା ଉପନିର୍ବାଚନରେ ଜିତିବ ବିଜେଡି । ଏନେଇ ଦମ୍ଭୋକ୍ତି ଦେଖାଇଛନ୍ତି ବିଜେଡି ବିଧାୟିକା ତଥା ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ଉପନିର୍ବାଚନକୁ ନେଇ ପ୍ରମିଳା କହିଛନ୍ତି ଯେ ନୂଆପଡା ନିର୍ବାଚନମଣ୍ଡଳୀ ବିଜେଡିର ଥିଲା ଓ ରହିବ । ଏହି ଉପନିର୍ବାଚନରେ ୪୦ରୁ ୫୦ହଜାର ଭୋଟରେ ବିଜେଡି ବିଜୟୀ ହେବ । ନୂଆପଡାର ବିକାଶ ପ୍ରତି ରାଜେନ୍ଦ୍ର ଢୋଲକିଆଙ୍କ ଅବଦାନ ରହିଛି । ଲୋକେ ନବୀନଙ୍କୁ ମନେ ପକାଉଛନ୍ତି । ନବୀନ ଯାହାକୁ ଟିକେଟ ଦେବେ ସେ ଜିତିବ, ଦୃଢୋକ୍ତି ବାଢିଛନ୍ତି ପ୍ରମିଳା ।ପ୍ରମିଳା କହିଛନ୍ତି ଯେ ଯେତେବେଳେ ମୁଖ୍ୟମନ୍ତ୍ରୀ ଜାଣିଲେ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ, ସେତେବେଳେ ନୂଆପଡାକୁ ଗଲେ, ତାଙ୍କର ନୂଆପଡାବାସୀଙ୍କ ପାଇଁ ଆନ୍ତରିକତା ନାହିଁ । କାଲି ମୁଖ୍ୟମନ୍ତ୍ରୀ କହିଲେ ଯେ ଢୋଲକିଆଙ୍କ ସ୍ୱପ୍ନ ପୂରଣ କରିବେ । ତାଙ୍କ ଶୁଦ୍ଧିକ୍ରୟାରେ କାହିଁକି ଏ କଥା କହିଲେ ନାହିଁ । ହେଲେ ନୂଆପଡାବାସୀ ଜାଣିଛନ୍ତି ବିଜେଡି କଣ ଓ ଅନ୍ୟ ଦଳ କଣ । ଲୋକମାନେ ଏଠାରେ ପୁଣି ଥରେ ବହୁ ଭୋଟରେ ବିଜେଡିକୁ ଜିତାଇବେ । ସରକାର ଯେତେବେଳେ ଭଲ କାମ କରନ୍ତି, ଉପନିର୍ବାଚନ ସରକାର ଦଳ ସପକ୍ଷରେ ଥାଏ, ହେଲେ ଏମାନେ କିଛି ଭଲ କାମ କରିନାହାଁନ୍ତି ।ତେବେ ନୂଆପଡାରୁ ବିଜେଡିର କିଏ ପ୍ରାର୍ଥୀ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ରାଜେନ୍ଦ୍ର ଢୋଲକିଆଙ୍କ ପୁଅକୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ପ୍ରାର୍ଥୀଙ୍କ ନାମ ଖୁବଶୀଘ୍ର ଦଳର ସଭାପତି ଘୋଷଣା କରିବେ ବୋଲି ପ୍ରମିଳା କହିଛନ୍ତି ।

May 25, 2026/
No Comments


