ପୋଲିସ ହାତରେ ଦୁଇ ସାଇବର ଲୁଟେରା
ଅନୁଗୋଳ – ଅନୁଗୋଳ ପୋଲିସକୁ ପୁଣି ଏକ ମିଳିଛି ସଫଳତା । ସାଇବର ଅପରାଧାରେ ସମ୍ପୃକ୍ତ ଦୁଇ ଜଣ ଅପରାଧୀଙ୍କୁ ରାଜସ୍ଥାନରୁ କରିଛି ଗିରଫ। ସୂଚନା ଯେ, ଚଳିତ ବର୍ଷ ଅନୁଗୋଳ ଏଫ ସି ଆଇ ଥାନା ଅଞ୍ଚଳର ଜଣେ ମହିଳା ଅଭିଯୋଗ କରିଥିଲେ କି, ସେ ବିଉଟି ପାର୍ଲର ଖୋଲିଥିବା ବେଳେ ଅନଲାଇନ ମାଧ୍ୟମରେ କିଛି ଲୋକ ତାଙ୍କୁ ଦାମୀ ପ୍ରସାଧାନ ସାମଗ୍ରୀର ଡିଷ୍ଟ୍ରିବ୍ୟୁଟର ଦେବା ପାଇଁ ଅଫର ଦେଇଥିଲେ । ମହିଳା ଜଣଙ୍କ ମଧ୍ୟ ତାଙ୍କ କଥାରେ ବିଶ୍ୱାସ କରି ଅନଲାଇନରେ ପ୍ରାୟ ୨ ଲକ୍ଷ ୪୯ ହଜାର ଟଙ୍କା ଡିପୋଜିଟ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଆହୁରି ଅଧିକ ଟଙ୍କା ମାଗିବାରୁ ତାଙ୍କର ସନ୍ଦେହ ହୋଇଥିଲା। ଏ ନେଇ ସେ ଅନୁଗୋଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ରାଜସ୍ଥାନରୁ ଦୁଇ ଜଣ ଠକଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ବଂଶ କୁମାର ଏବଂ ଗୌରବ କୁମାର । ଉଭୟଙ୍କୁ ଅନୁଗୋଳ ପୋଲିସ ରାଜସ୍ଥାନରୁ ଗିରଫ କରି ଆଣିବା ପରେ ଆଜି ଅନୁଗୋଳରେ କୋର୍ଟ ଚାଲାଣ କରିଥିବା ଅନୁଗୋଳ ଏସ ପି ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତାଙ୍କ ନିକଟରୁ ଗୋଟିଏ ଲାପଟପ, ଦୁଇଟି ମୋବାଇଲ ଫୋନ, ୨୦ ହଜାର ଟଙ୍କା ଓ ୪ ଟି ସିମ କାର୍ଡ଼ , ଏ ଟି ଏମ୍ କାର୍ଡ଼ ଗୋଟିଏ ଜବତ କରିଛି ପୋଲିସ ।



