ଵନ୍ୟ ପ୍ରାଣୀ ଏବଂ ଜଳ ପ୍ରବାହ ଜନିତ ଫସଲ କ୍ଷତିକୁ ଏବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି । କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବନ୍ୟ ପ୍ରାଣୀ ଯୋଗୁଁ ହେଉଥିବା ଫସଲ କ୍ଷତିକୁ ସ୍ଥାନୀୟ ବିପଦ ବର୍ଗରେ ପଞ୍ଚମ ଅତିରିକ୍ତ ଭାବେ ମାନ୍ୟତା ପ୍ରଦାନ କରାଯାଇଛି ।
ଜଳବନ୍ଦୀ ଏବଂ ଜଳ ପ୍ରବାହ ଯୋଗୁଁ ହେଉଥିବା ଫସଲ କ୍ଷତିକୁ ସ୍ଥାନୀୟ ବିପର୍ଯ୍ୟୟ ବର୍ଗରେ ସାମିଲ କରାଯାଇଛି । ତେବେ ରାଜ୍ୟଗୁଡ଼ିକ ଏଭଳି ଫସଲ କ୍ଷତି ପାଇଁ ତାଲିକା ପ୍ରସ୍ତୁତ ସହ ସମ୍ଭାବ୍ୟ ଅଞ୍ଚଳକୁ ଚିହ୍ନଟ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।ଜିଓ ଟ୍ୟାଗ୍ ଫଟୋ ଗ୍ରାଫ୍ ଅପ୍ଲୋଡ୍ କରି ଫସଲ ବୀମା ଆପ୍ ମାଧ୍ୟମରେ ୭୨ ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ୍ ଦାଖଲ କରିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ଆସନ୍ତା ୨୦୨୬ ଖରିଫ୍ ଋତୁରୁ ଏହି ନିଷ୍ପତ୍ତି ଲାଗୁ କରାଯିବ ବୋଲି ମନ୍ତ୍ରଣାଳୟ କହିଛି । ବନ୍ୟ ପ୍ରାଣୀଙ୍କ ଆକ୍ରମଣ ଯୋଗୁଁ ଫସଲ କ୍ଷତି ଏବଂ ବନ୍ୟା ପ୍ରବଣ ତଥା ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ଧାନ ଚାଷୀଙ୍କ କ୍ଷତିକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏଭଳି ନିଷ୍ପତ୍ତି ଓଡ଼ିଶା ସମେତ ୧୬ଟି ରାଜ୍ୟ ଚାଷୀଙ୍କୁ ସୁଫଳ ପ୍ରଦାନ କରିବ ବୋଲି ମନ୍ତ୍ରଣାଳୟ କହିଛି ।



