*ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୫/୨୬ର ଶୁଭ ଉଦଘାଟିତ*

ଭବାନୀପାଟଣା, କଳାହାଣ୍ଡି | ୩ ଜାନୁଆରୀ, ୨୦୨୬ – କଳାହାଣ୍ଡି ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଆଜିଠାରୁ ଭବାନୀପାଟଣାସ୍ଥିତ କୃଷି ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫ ଆରମ୍ଭ ହୋଇଯାଇଛି। ଏହି ମେଳାକୁ ଭବାନୀପାଟଣା କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସନ୍ଦିପ୍ତ କୁମାର ନାଏକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ ମେଳାରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷକମାନଙ୍କୁ ଉଦବୋଧନ ଦେଇ କହିଥିଲେ କି କୃଷି କାର୍ଯ୍ୟରେ ଯନ୍ତ୍ରପାତି ବ୍ୟବହାର ଦ୍ଵାରା ଉତ୍ପାଦନ ବୃଦ୍ଧି ହେବ ସହିତ ଶ୍ରମ ଲାଘବ, ସ୍ୱଳ୍ପ ଖର୍ଚ୍ଚ ହେବ ଏବଂ କୃଷି କାର୍ଯ୍ୟ ଠିକ୍ ସମୟରେ ସମ୍ପାଦନ କରାଯାଇପାରିବ। ଫସଲ ବିବିଧତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ଏହି ମେଳା ଜାନୁଆରୀ ୩ ରୁ ୭ ତାରିଖ, ୨୦୨୬ ପର୍ଯ୍ୟନ୍ତ ଚାଲିବ, ଯାହା ଚାଷୀମାନଙ୍କୁ ଆଧୁନିକ କୃଷି ଯନ୍ତ୍ରପାତି ସହ ପରିଚିତ କରାଇବା ପାଇଁ ଏକ ପ୍ରମୁଖ ମାଧ୍ୟମ ସାଜିବ।ମୁଖ୍ୟବକ୍ତା ଡଃ ସଂଦିପ୍ତ କୁମାର ନାଏକ କୃଷି କାର୍ଯ୍ୟ କିପରି କଲେ ଆମେ ଅଧିକ ଅମଳ କରିପାରିବା ଓ ବିଭିନ୍ନ ପ୍ରକାର ବୈଜ୍ଞାନିକ ପ୍ରଣାଳୀ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମୋଦ କୁମାର ବେହେରା ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ। ଅଜୟ କୁମାର ମାରାଣ୍ଡି, ନିର୍ବାହୀ ଯନ୍ତ୍ରୀ (କୃଷି) ମେଳାର ଉଦ୍ଦେଶ୍ୟ, କୃଷି ଯନ୍ତ୍ରପାତିର ବ୍ୟବହାର ଏବଂ ତା ଉପରେ ମିଳୁଥିବା ସରକାରୀ ରିହାତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ଅମିତାଭ ପଣ୍ଡା ଚାଷରେ ନୂତନ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତିର ପ୍ରୟୋଗ ସମ୍ପର୍କରେ ଚାଷୀଙ୍କୁ ପରାମର୍ଶ ଦେଇଥିଲେ। ଏହି ସଭାରେ ଆଞ୍ଚଳିକ ଅନୁସନ୍ଧାନ ଓ ସମ୍ପ୍ରସାରଣ କେନ୍ଦ୍ରର ସହକାରୀ ଗବେଷଣା ନିର୍ଦ୍ଦେଶକ ଡଃ ଭବାନୀ ନାଏକ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାକର ନାଏକ, ଭବାନୀପାଟଣାର ଅତିରିକ୍ତ କୃଷି ଅଧିକାରୀ ଅଜିତ କୁମାର ମହାପାତ୍ର, ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ ମୋନାଲିସା ପ୍ରଧାନ ଏବଂ ଜୁନାଗଡ଼ର ସାଂସଦ ପ୍ରତିନିଧି ଭାବେ କୁନ୍ତଳା ରାଉତ ଦେବୀ ଯୋଗଦେଇ ଥିଲେ। ମେଳାରେ ମୋଟ ୬୦ଟି ଷ୍ଟଲ ଖୋଲାଯାଇଛି, ଯେଉଁଥିରେ କୃଷି ଯନ୍ତ୍ରପାତି ନିର୍ମାତା ଏବଂ ବିକ୍ରେତା। କୃଷି ଭିତ୍ତିକ ଷ୍ଟାର୍ଟଅପ୍ ଏବଂ ବେସରକାରୀ ସଂସ୍ଥା, ଉଦ୍ୟାନ କୃଷି, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିଭାଗ ଭଳି ସରକାରୀ ଆନୁଷଙ୍ଗିକ ସଂସ୍ଥାମାନେ ସାମିଲ ଅଛନ୍ତି। ଆଜି ପ୍ରଥମ ଦିନରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ସଂଖ୍ୟାରେ ଚାଷୀ ଯୋଗଦେଇଥିଲେ। ମେଳାର ପ୍ରଥମ ଦିବସରେ ମୋଟ ୨.୮୨ କୋଟି ଟଙ୍କାର କୃଷି ଯନ୍ତ୍ରପାତି ବୁକିଂ ହେଇଥିଲା ଯାହାର ରିହାତି ମୂଲ୍ୟ ୪୬.୩୪ ଲକ୍ଷ୍ୟ ଟଙ୍କା।କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କଳାହାଣ୍ଡି ର ସମସ୍ତ ସହକାରୀ କୃଷି ଯନ୍ତ୍ରୀ, ସହକାରୀ କୃଷି ଅଧିକାରୀ, ବ୍ଲକ କୃଷି ଅଧିକାରୀ, ଗ୍ରାମ୍ୟ କୃଷି କର୍ମଚାରୀ (VAW) ଏବଂ କୃଷି ପର୍ଯ୍ୟବେକ୍ଷକ (AO) ସହଯୋଗ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଓ ଅଗ୍ନିଶମ ବିଭାଗ ସଜାଗ ରହିଥିଲେ, ଯାହା ଫଳରେ ମେଳାର ସଜ୍ଜିକରଣ ଓ ପରିଚାଳନା ଅତ୍ୟନ୍ତ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ଅଜିତ କୁମାର ମହାପାତ୍ର ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




