ଚଳିତ ବିଜୟ ହଜାରେ ଟ୍ରଫିରେ ଓଡ଼ିଶା କ୍ରମାଗତ ଦ୍ୱିତୀୟ ପରାଜୟ ସହ କ୍ୱାର୍ଟର ଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଛି । ପ୍ରଥମ ୪ଟି ମ୍ୟାଚ୍ ଶେଷ ସୁଦ୍ଧା ଗ୍ରୁପ୍ ଡି’ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିବା ଓଡ଼ିଶା ଏକସଙ୍ଗେ ଦୁଇଟି ମ୍ୟାଚ୍ ହାରି ପଞ୍ଚମ ସ୍ଥାନକୁ ଖସି ନକ୍ ଆଉଟ୍ ସୁଯୋଗ ହାତଛଡ଼ା କରିଛି । ମଙ୍ଗଳବାର ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀର ଉତ୍କର୍ଷ କେନ୍ଦ୍ର ଗ୍ରାଉଣ୍ଡରେ ଅନୁଷ୍ଠିତ ଷଷ୍ଠ ରାଉଣ୍ଡ ଲିଗ୍ ମୁକାବିଲାରେ ଓଡ଼ିଶା ୨୩୩ ରନରେ ଗୁଜରାଟ ଠାରୁ ପରାଜିତ ହୋଇଥିଲା ।
ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୬/୩୩୩ ରନ ସଂଗ୍ରହ କରିଥିଲା । ଜବାବରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୮.୧ ଓଭରରେ ୧୦୦ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ଓଡ଼ିଶା ପାଇଁ ମହଙ୍ଗା ପଡ଼ିଥିଲା । ଗୁଜରାଟର ଦୁଇ ଓପନର ଆର୍ୟ ଦେଶାଇ ଓ ଉର୍ଭିଲ ପଟେଲ ୧୧୮ରନର ଭାଗିଦାରୀ ଗଠନ କରିଥିଲେ । ୧୫ତମ ଓଭରରେ ସୌମ୍ୟ ଲେଙ୍କା ଯୋଡ଼ି ଭାଙ୍ଗିଥିଲେ । ଉର୍ଭିଲ ୬୪(୮ଚୌକା, ୧ଛକା) ରନ କରି ଆଉଟ୍ ହୋଇଥିଲେ । ପରେ ପରେ ଆର୍ୟ ୫୪(୭ଚୌକା, ୧ଛକା) ରନ କରିଥିବା ବେଳେ ଗୋବିନ୍ଦ ପୋଦ୍ଦାରଙ୍କ ଶିକାର ସାଜିଥିଲେ । ମଧ୍ୟ ଭାଗରେ ଅକ୍ଷର ପଟେଲ ଓ ସୌରଭ ଚୌହାନ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୩୩୩ରେ ପହଞ୍ଚାଇଥିଲେ । ଅକ୍ଷର ୮ଚୌକା ଓ ୨ଛକା ବଳରେ ୭୩ ରନ କରିଥିଲେ । ସୌରଭ ୨୬ଟି ବଲ୍ରୁ ୪୪ ରନ କରି ଅପରାଜିତ ରହିଥିଲେ । ଓଡ଼ିଶା ପକ୍ଷରୁ ବିପ୍ଳବ ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ ।ଜବାବରେ ଓଡ଼ିଶା ଚତୁର୍ଥ ଓଭରରେ ଓମ୍ ମୁଣ୍ଡେ(୪) ଙ୍କ ୱିକେଟ୍ ହରାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ । ଗୁଜରାଟ ଅଧିନାୟକ ଚିନ୍ତାନ ଗଜାଙ୍କ ଘାତକ ବୋଲିଂର ମୁକାବିଲା କରି ନପାରି ଓଡ଼ିଶା ମାତ୍ର ୧୦୦ ରନ ମଧ୍ୟରେ ସମସ୍ତ ୱିକେଟ୍ ହରାଇଥିଲା । ଦଳ ପକ୍ଷରୁ ବିପ୍ଳବ ସର୍ବାଧିକ ୨୨ ରନ କରିଥିବା ବେଳେ କାର୍ତ୍ତିକ ବିଶ୍ୱାଳ ୧୬, ସ୍ୱସ୍ତିକ ସାମଲ ୧୪ ଓ ରାଜେଶ ମହାନ୍ତି ୧୨ ରନ କରିଥିଲେ । ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ଗୁଜରାଟ ପକ୍ଷରୁ ଗଜା ୬ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ଅର୍ଜନ ନଗସୱାଲା ଓ ଜପଜ୍ଞ ଭଟ୍ଟ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଓଡ଼ିଶା ଅନ୍ତିମ ଲିଗ୍ ମ୍ୟାଚ ରେଳବାଇକୁ ଭେଟିବ ।



