ଯୋଡ଼ାଥାନା ଅନ୍ତର୍ଗତରେ, ଫ୍ଲାଟ୍ ର ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ରୁପା ଅଳଙ୍କାର ଚୋରୀ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଥାନା ଅନ୍ତର୍ଗତରେ ଫ୍ଲାଟ୍ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ରୁପା ଅଳଙ୍କାର ଚୋରୀ ହୋଇଥିବା ନେଇ ସୂଚନା। କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ଅନ୍ତର୍ଗତ ଯୋଡ଼ା ସହରରେ ରବିବାର ବିଳମ୍ବିତ ରାତିରେ ଏକ ସମୟରେ ୩ଟି ଫ୍ଲାଟରେ ଘଟିଥିବା ଦୁସ୍ସାହସିକ ଚୋରି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଟାଟାଷ୍ଟିଲ କମ୍ପାନୀର ସିଗରିକେଶନ କଲୋନୀ ଅଞ୍ଚଳର ଡି ଏବଂ ଇ ବ୍ଲକର ତିନିଟି ଫ୍ଲାଟରୁ କଟର ଦ୍ୱାରା ତାଲା କାଟି ଦୁର୍ବୁତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା-ରୂପା ଗହଣା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟିନେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୧.୪୫ ରୁ ୩ଟା ମଧ୍ୟରେ ଦୁଇଜଣ ଅଜଣା ଦୁର୍ବୁତ୍ତ ଘରେ କେହିନଥିବା ସୁଯୋଗକୁ ନେଇ ଡି ବ୍ଲକରେ ଥିବା ଅରୁପ ମହାନ୍ତିଙ୍କ ୬ ନମ୍ବର ଫ୍ଲାଟ, ଏନ. ଗୋପାଲ ରେଡିଙ୍କ ଫ୍ଲାଟ ଏବଂ ଇ ବ୍ଲକରେ ଥିବା ଭାଗବତ ବଳଙ୍କ ଘରକୁ ଟାର୍ଗେଟ କରିଥିଲେ। ତାଲା ସୀଙ୍କୁଳି କୁ କାଟି ଘରଭିତରକୁ ପ୍ରବେଶ କରି ଲକର ଭାଙ୍ଗି ସୁନା-ରୂପା ଗହଣା ସହ ନଗଦ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିବା ନେଇ ଅଭିଯୋଗ ହୁଏ।ବିଶେଷକରି କେ. ଗୋପାଲ ରେଡିଙ୍କ ଘରୁ ପ୍ରାୟ ୧୦ ହଜାର ଟଙ୍କା ନଗଦ, ୩ଟି ସୁନାଚେନ, ଏକ ମଙ୍ଗଳସୂତ୍ର, ୪ଟି କାନଫୁଲ ଓ ରୂପା ପାଉଁଜି ଲୁଟ ହୋଇଥିବା ବେଳେ ମୋଟ ଅଳଙ୍କାର ର ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ହେବ ବୋଲି ଆନୁମାନ କରାଯାଉଛି। ତେବେ ଅନ୍ୟ ଦୁଇଟି ଫ୍ଲାଟରୁ ଲୁଟ ଉଦ୍ୟମ କରିଥିଲେ ସୁଦ୍ଧା ସେଠାରୁ କୌଣସି ଦାମି ସାମଗ୍ରୀ ମିଳିନଥିବାରୁ ଦୁର୍ବୃତ୍ତ ମାନେ ଲୁଟରେ ସଫଳ ହୋଇନଥିବା ଜଣାପଡ଼ିଛି। ବଡିଭୋର ପ୍ରାୟ ୪ ରୁ ୫ ଟା ସମୟରେ ଅରୁପ ମହାନ୍ତି ଏବଂ ଏନ. ଗୋପାଲ ରେଡି ଘର ତାଲାଖୋଲା ଏବଂ ଆଲମୀରା ର ଲକର ଭଙ୍ଗା ହୋଇ ଜିନିଷପତ୍ର ଭିଣା ହୋଇଥିବା ଦେଖି ଘଟଣା ସମ୍ପର୍କରେ ଯୋଡ଼ା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଯୋଡ଼ା ଥାନା ଅଧିକାରୀ ସଦଳବଳେ , ସାଇଣ୍ଟିଫିକ ଟିମ ଏବଂ ଡଗ ସ୍କୁୱାର୍ଡ କୁ ନେଇ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସିସିଟିଭି ଫୁଟେଜ ଯାଞ୍ଚ ସହ ଅଭିଯୁକ୍ତମାନଙ୍କ ଚିହ୍ନଟ ପାଇଁ ପୋଲିସ ପକ୍ଷରୁ ଚେଷ୍ଟା ଜାରି ରହିଛି।ଏହି ଘଟଣା ପରେ କଲୋନୀର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ସୁରକ୍ଷା କର୍ମୀଙ୍କ ଅବହେଳା ଡ୍ୟୁଟିକୁ ନେଇ ବୃଦ୍ଧିଜୀବୀ ଓ ବାସିନ୍ଦାମାନଙ୍କ ମଧ୍ୟରେ ଖୋଭ ପ୍ରକାଶ ପାଇଛି। ବର୍ତ୍ତମାନ ସୁନାର ମୂଲ୍ୟ ବେଶି ଥିବା ସମୟରେ ଏପରି ଲୁଟ ଘଟଣା ପରିବାର ଲୋକଙ୍କ ପାଇଁ ଗୁରୁତର ଆଘାତ ହୋଇଛି।ପୋଲିସ ପକ୍ଷରୁ ଶୀଘ୍ର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଯୋଡ଼ା ପୋଲିସ୍ ପକ୍ଷରୁ ତଦନ୍ତକୁ ଜୋରଦାର କରାଯାଇଥିବା ନେଇ ସୂଚନା ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



