ଅନ୍ନପୂର୍ଣ୍ଣା ଥିଏଟରର “ବି”ଗ୍ରୁପର ୮୨ତମ ପ୍ରତିଷ୍ଠା ଦିବସ
କଟକ ତା ୨୧-୦୨-୨୦୨୬ ରିଖ ଓଡ଼ିଶାରେ ସୁନାମ ଅର୍ଜନ କରିଥିବା ପୁରାତନ ଅନ୍ନପୂର୍ଣ୍ଣା ଥିଏଟର ‘ବି’ ଗ୍ରୁପର ୮୨ତମ ପ୍ରତିଷ୍ଠା ଦିବସ ଆନୁଷ୍ଠାନିକ ଭାବେ ପାଳିତ ହୋଇଯାଇଛି।ଏହି ଅବସରରେ ସକାଳ ସମୟରେ ଅନ୍ନପୂର୍ଣ୍ଣା ଥିଏଟରର କର୍ମକର୍ତ୍ତା, ସଦସ୍ୟ,କଳାକାର ଏବଂ ନାଟ୍ୟକାର ଓ ନିର୍ଦେଶକ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲାବେଳେ ଅପରାହ୍ନରେ ଅଧିବେଶନରେ ମଞ୍ଚ ନାଟକକୁ ଆଧାର କରି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠାନର ସଭାପତି ନୃସିଂହ ପ୍ରସାଦ ରାୟଗୁରୁ ଓ ସମ୍ପାଦିକା ଅହ୍ଲାଦିନୀ କରଙ୍କ ତତ୍ତ୍ଵାବଧାନରେ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା ବେଳେ ସନ୍ଧ୍ୟାର ଉଦ୍ଘାଟନୀ ଉତ୍ସବର ଅତିଥି ଭାବେ କଳାବିକାଶ କେନ୍ଦ୍ରର ମ୍ୟାନେଜିଂ ଟ୍ରଷ୍ଟି ରବୀନ୍ଦ୍ରନାଥ ମହାନ୍ତି,ଡ. ସ୍ନେହଲତା ମିଶ୍ର,ସିଡିଭିଓ ସୁଶାନ୍ତ ନାୟକ,ଦରଘା ବଜାର ଥାନା ଅଧିକାରୀ ରାକେଶ ବେହେରା,ଡ. କିଶୋର ମହାନ୍ତି,ଡ. ରଞ୍ଜନ ବିଶ୍ଵାଳ ଓ ଭାବଗ୍ରାହୀ ଦାଶ ଅତିଥି ଭାବେ ଯୋଗଦେଇ ଅନ୍ନପୂର୍ଣ୍ଣା ଥିଏଟରର ଜନ୍ମ ବୃତ୍ତାନ୍ତ ବଖାଣି ଥିଲେ। ପ୍ରତି ମାସରେ ଥିଏଟର ପକ୍ଷରୁ ନିର୍ଦିଷ୍ଟ ଦିନରେ ଗୋଟିଏ ନାଟକ ପରିବେଷିତ ହୋଇନଥିବାରୁ ସମସ୍ତ କଳାକାର ମାନଙ୍କୁ ଧନ୍ୟବାଦ ଦେଇଥିଲେ।। ଏହି ଅବସରରେ ସ୍ମରଣିକା ‘ନାଟ୍ୟାୟନ ଅନ୍ନପୂର୍ଣା’ ଉନ୍ମୋଚିତ ହୋଇଥିଲା।ଅନୁଷ୍ଠାନର ଅନ୍ୟତମ ବରିଷ୍ଠ ନିର୍ଦେଶକ ଉମେଶ ଦାଶ, ନାଟ୍ୟକାର ଡ. ବୈଜୟନ୍ତୀ ମିଶ୍ର ଓ ବରିଷ୍ଠ କଳାକାର ସ୍ୱପ୍ନାରାଣୀ ରାଉତଙ୍କ ସମେତ ୧୧ଜଣ ପ୍ରତିଭା ମାନଙ୍କୁ ସମ୍ବନ୍ଧିତ କରାଯାଇଥିଲା। କୋରିଓଗ୍ରାଫର ସଫିଉଲ୍ଲା ହକ୍ଙ୍କ ପରିଚାଳନାରେ ନୃତ୍ୟ ଓ ସଙ୍ଗୀତ ଏବଂ ରଞ୍ଜନ ସାହୁଙ୍କ ନିର୍ଦେଶନାରେ କ୍ଷୁଦ୍ର ନାଟକ ‘ଜୀବନ ଜିଇବା ପାଇଁ’ ପରିବେଷିତ ହୋଇଥିଲା। ଅକ୍ଷୟ ରଣା ମଞ୍ଚ ପରିଚାଳନା କରିଥିଲେ।



