ପ୍ରାକୃତିକ ସମ୍ପଦ ସୁରକ୍ଷା ପାଇଁ, ଲୋକ ଅଧିକାର ଯାତ୍ରା ।

ବିକାଶ କରିବା ନାଁରେ ଜଳ, ଜମି, ଜଙ୍ଗଲ, ଖଣିକୁ ଶେଷ କରି ଦିଆନଯାଉ । ସମସ୍ତଙ୍କ ପାଇଁ ସମାନ ତଥା ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ନିଶ୍ଚିତ କରାଯାଉ । ରାଜ୍ୟରେ ମଧ୍ୟମ ଓ କୁଟୀର ଶିଳ୍ପ ଜରିଆରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉ । ଗନ୍ଧମାର୍ଦ୍ଦନ ଠାରୁ ଦେଓମାଳି ପର୍ବତ ପର୍ଯ୍ୟନ୍ତ ଓଡ଼ିଶାର ଆରାବଳୀ ପର୍ବତମାଳାରେ ନୂତନ ବକ୍ସାଇଟ୍ ଖନନ ବନ୍ଦ କରାଯାଉ । ରାଜ୍ୟକୁ ପ୍ରଦୂଷଣ ମୁକ୍ତ କରାଯାଉ । ଏଥିସହ, ଆଦିବାସୀ ତଥା ଦଳିତଙ୍କ ପାଇଁ ଥିବା ସମ୍ବିଧାନ ଅଧିକାରକୁ କାର୍ଯ୍ୟକାରୀ କରାଯାଉ । ଏହିସବୁ ଲକ୍ଷ୍ୟରେ ଲୋକଶକ୍ତି ଅଭିଯାନ ଦ୍ୱାରା ୨୫ ତାରିଖରୁ ଆରମ୍ଭ ହୋଇଥିବା “ଲୋକ ଅଧିକାର ଯାତ୍ରା” ଆଜି କେନ୍ଦୁଝରରେ ପହଞ୍ଚିଥିଲା । ଏନେଇ ବ୍ୟାପକ ଜନଚେତନା ଜାଗ୍ରତ କରିବା ସହ, ଏସବୁର କାର୍ଯ୍ୟକାରିତା ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଏହି ଯାତ୍ରାର ଉଦ୍ଦେଶ୍ୟ ବୋଲି ଆୟୋଜକମାନେ ପ୍ରକାଶ କରିଛନ୍ତି । ୨୫ ତାରିଖରୁ ମଧୁବାବୁଙ୍କ ଜନ୍ମପୀଠରୁ ଆରମ୍ଭ ହୋଇଥିବା ଏହି ଯାତ୍ରା, ମାର୍ଚ୍ଚ ୨୯ ତାରିଖ ଉଦଯାପିତ ହେବ । ସେହିଦିନ, ସହିଦ ଲକ୍ଷ୍ମଣ ନାଏକଙ୍କର ବଳିଦାନ ଦିବସ ଅବସରରେ ଭୁବନେଶ୍ୱର ଠାରେ ଏକ ବିଶାଳ ଜନ ସମାବେଶ ଆୟୋଜିତ ହେବ । ଏହି ଉପଲକ୍ଷେ ଆଜି କେନ୍ଦୁଝର ନଗର ଭବନ ଠାରେ ଆୟୋଜିତ ଏକ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ଏହି ଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




