ମଣ୍ଡିରେ କଟନୀ ଛଟଣୀ କୁ ବିରୋଧ, ମିଲର କାଟିଥିବା ଧାନର ପ୍ରାପ୍ୟ ପାଇଁ ଚାଷୀ ଜିଲ୍ଲାପାଳଙ୍କ ଦ୍ୱାରସ୍ତ
ଢେଙ୍କାନାଳ : ଗତ ୨୮ ତାରିଖରେ ସାରଳା ମିଲର ବାଇଁଶିଆ ସୋସାଇଟି ଧାନ ମଣ୍ଡିରେ ଯୋର ଜବରଦସ୍ତି ପାଞ୍ଚ କିଲୋ ଧାନ କାଟିବା ଏବଂ ୯ ଶହ ଗ୍ରାମରୁ କମ୍ ହେଲେ ହିସାବକୁ ନଆଣିବା କୁ ଚାଷୀମାନେ ବିରୋଧ କରିଥିଲେ। ମିଲର କର୍ତୃପକ୍ଷ କହିଥିଲେ ବିଧାନସଭାରେ କୁହାଯାଇଛି ଏବଂ ମନ୍ତ୍ରୀ କହିଛନ୍ତି ସମସ୍ତଙ୍କର ପାଞ୍ଚ କିଲୋ ଧାନ କଟାହେବ। ଆଜି ସୋମବାର ବାଲିଯୋରନ୍ଦା ଗ୍ରାମର ଜଣେ ଚାଷୀ ପଙ୍କଜ କୁମାର ନାୟକ ଜିଲ୍ଲାପାଳଙ୍କୁ ଭେଟି ଏ ବିଷୟରେ ଅଭିଯୋଗ କରିଛନ୍ତି ଯେ ତାଙ୍କର ୧କୁଇଣ୍ଟାଲ ଏକସ୍ତରୀ କିଲୋ (୧. ୭୧ କୁଇଣ୍ଟାଲ ) ଧାନ କଟାଯାଇଥିଲା। ସେଠାରେ ଉପସ୍ଥିତ ଆରଆମ୍ ସିଏସ କର୍ମଚାରୀଙ୍କୁ ଅନାଲଇଜର ମେସିନରେ ଚେକ କରିବାପାଇଁ କହିଥିଲେ। କିନ୍ତୁ କେହି ଶୁଣି ନଥିଲେ। ଓଲଟା ମିଲ କର୍ତୃପକ୍ଷ କହିଥିଲେ ଆମକୁ କୁହାଯାଇଛି ଆମେ ସମସ୍ତଙ୍କର ଧାନ କାଟିବୁ ଯାହାକୁ କହିବା କଥା କୁହ। ଏପରିକି ଚାଷୀମାନେ କହିଥିଲେ ମନ୍ତ୍ରୀ ମହୋଦୟ କହିଛନ୍ତି କାହାର କଟନୀ ଛଟଣି ହେବନାହିଁ। ଶେଷରେ ନିରାଶ ହୋଇ ସେ ଚାଷୀ ଫୋନ ମାଧ୍ୟମରେ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ସେ କହିଲେ ମୁଁ ଦେଖୁଛି। ଡିଆରସିଏସ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ କୌଣସି ଉତ୍ତର ମିଳିନଥିଲା। କଟାଯାଇଥିବା ୧୭୧ କିଲୋ ଧାନର ସହାୟକ ମୂଲ୍ୟ ଫେରସ୍ତ କରାଯାଉ ବୋଲି ଚାଷୀ ପଙ୍କଜ କୁମାର ନାୟକ ନିଜ ଅଭିଯୋଗ ପତ୍ରରେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ତାଛଡା ଉକ୍ତ ଚାଷୀଙ୍କୁ ଫୋନ ମାଧ୍ୟମରେ ଧମକ ଆସୁଛି ଯେ ଅନେକ ଚାଷୀ ଏବେ ମଧ୍ୟ ରହିଯାଇଛନ୍ତି। ସେହି ଚାଷୀ ମାନଙ୍କର ଧାନ ସେ ମିଲର ନେବ ନାହିଁ ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ସମସ୍ତ ଚାଷୀ ମାନଙ୍କର ଧାନ ମଣ୍ଡି ମାଧ୍ୟମରେ କିଣାଯାଉ ବୋଲି ଚାଷୀମାନେ ଅନୁରୋଧ କରିଛନ୍ତି।



