
ବଅଁରପାଳ,୧୪.୩- ବଅଁରପାଳ ବ୍ଲକ ଲଙ୍ଗୁଳିଆବେଡା ଗ୍ରାମ ଯତନନଗର ସାହି ଯାତ୍ରା ପଡିଆରେ ଦଶଦୋଳ ଉତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏଥିପାଇଁ ଗ୍ରାମ ଉତ୍ସବ ମୁଖQQରିତ ହୋଇ ଉଠିଥିଲା l ପୂର୍ବାହ୍ନରେ ଗ୍ରାମ ସଭାପତି ବ୍ରଜେନ୍ଦ୍ର ନାରାୟଣ ବିଶ୍ୱାଳଙ୍କ ବାସଭବନରୁ ତ୍ରିନାଥ ଠାକୁରଙ୍କ ଫଟୋଚିତ୍ରକୁ ନାମ ସଂକୀର୍ତନ ସହ ଅଣାଯାଇ ଯାତ୍ରା ପଡିଆସ୍ଥିତ ଦୋଳମଣ୍ଡପରେ ସ୍ଥାପନ କରା ଯାଇଥିଲା l ଅପରାହ୍ନ ୫ ଟାରେ ଭକ୍ତ ଅକ୍ଷୟ କୁମାର ବିଶୋଇଙ୍କ ବାସଭବନରୁ ରାଧାକୃଷ୍ଣ ଙ୍କ ଯୁଗଳ ମୂର୍ତ୍ତୀକୁ ପୂଜାପାଠ ପୂର୍ବକ ଏକ ସୁସଜ୍ଜିତ ବିମାନରେ ବିରାଟ ଶୋଭାଯାତ୍ରାରେ ସମଗ୍ର ଗ୍ରାମ ପରିକ୍ରମା କରା ଯାଇଥିଲା l

ଶୋଭାଯାତ୍ରାରେ ନାମ ସଂକୀର୍ତ୍ତନ, ଭାଲୁ ଖେଳ, ବିଭିନ୍ନ ସ୍ଥାନରୁ ଆସିଥିବା ଗୋପାଳ ଭାଇ ମାନଙ୍କ ପାରମ୍ପରିକ ଲଉଡ଼ିଖେଳ ସ୍ଥାନ ପାଇଥିବା ବେଳେ ସାଉଣ୍ଡ,, ଡିଜେ ଓ ତୋପବାଣ ରେ ଗ୍ରାମ ପ୍ରକମ୍ପିତ ହୋଇ ଉଠିଥିଲା l ଡିଜେ ର ତାଳେତାଳେ ଯୁବପିଢ଼ି ଖୁସି ମନେଇ ଥିଲେ l ମା ମାଉସୀ ମାନେ ବନ୍ଦାପନା କରିଥିଲେ l ପଥ ମଧ୍ୟରେ ଥିବା ବାବା ଚନ୍ଦ୍ରଶେଖର ଶିବ ମନ୍ଦିର ପ୍ରାଙ୍ଗଣରେ ମନ୍ଦିର ପୂଜକ ଗୋଲେଖ ମହାପାତ୍ରଙ୍କ ଦ୍ୱାରା ହରିହର ଭେଟ କରା ଯାଇଥିଲା l ଶୋଭାଯାତ୍ରା ଯାତ୍ରା ପଡିଆରେ ପହଞ୍ଚିବା ପରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତୀ କୁ ଦୋଳମଣ୍ଡପ ରେ ସ୍ଥାପନ କରାଯାଇ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରା ଯାଇଥିଲା l ପୂଜକ ସୌମ୍ୟରଞ୍ଜନ କର ପୂଜାର୍ଚ୍ଚନା ଓ ନିରୋଦ ମହାପାତ୍ର ନୂତନ ପଞ୍ଜିକା ପାଠ କରିଥିଲେ l ମଣ୍ଡପ ପ୍ରାଙ୍ଗଣରେ ଗୋପାଳ ସମାଜ ମାନେ ଚିତାକର୍ଷକ ଲଉଡ଼ିଖେଳ ପ୍ରଦର୍ଶନ କରିଥିଲେ l ଯାତ୍ରା କମିଟି ସଭାପତି ବିରାଜ ସାହୁ, ସମ୍ପାଦକ ସୁଶୀଲ ଦାଶ, ସନ୍ତୋଷ ଦାଶ, ବିନୋଦ ବିଶୋଇଙ୍କ ସହ ଲିଟୁ, ସାଗର, ଜିତେନ୍, ମିକୁ, ବିରେନ ଓ ଅରୁଣ ପ୍ରମୁଖ ଯୁବଗୋଷ୍ଠୀ ଉତ୍ସବରେ ସହଯୋଗ କରିଥିଲେ l ରାତିରେ ଅପେରା ଅନୁଷ୍ଠିତ ହୋଇଥିଲା l



