ତାଳଚେରରେ ବଢ଼ି ଚାଲିଛି ଗ୍ରୀଷ୍ମତାପ : ପ୍ରଖର ତାତି ଯୋଗୁଁ ରାସ୍ତା ଜନଶୂନ୍ୟ!
ତାଳଚେର, ୦୧/୦୪ ଓଡ଼ିଶାର ଉତପ୍ତ ସହରଭାବେ ତାଳଚେର ପରିଗଣିତ ହେଉଥିବା ବେଳେ ଆଜକୁ ଦୁଇଦିନ ହେବ ପାରଦ ଉପରମୁହାଁ ହେବାରେ ଲାଗିଛି । ଗତ ସପ୍ତାହରେ ପାଗ କୋହଲା ରହିଥିବାରୁ ଖରା ପ୍ରକୋପ ଏତେଟା ଜଣାପଡ଼ୁ ନଥିଲା । କିନ୍ତୁ ଏହାର ପ୍ରଭାବ ଧିରେଧିରେ ପ୍ରଖର ହେଉଥିବା ଅନୁମାନ କରାଯାଉଥିବା ମଧ୍ୟାହ୍ଣ ସମୟରେ ରାସ୍ତା ଓ ବଜାରଘାଟ ଜନଶୂନ୍ୟ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକେ ଓ ପଥଚାରୀ, ଯାତ୍ରୀ ପ୍ରମୁଖ ମଧ୍ୟାହ୍ଣ ୧୨ଟା ପରେ ଆଉ ଦୃଶ୍ୟମାନ ହେଉନାହାନ୍ତି । ଅନୁମାନ କରାଯାଏ ଏପ୍ରିଲ ମାସ ବେଳକୁ ଗ୍ରୀଷ୍ମତାପ ପ୍ରଖର ହୋଇଗଲାଣି, ସର୍ବସାଧାରଣ ଅଂଶୁଘାତରୁ ରକ୍ଷା ପାଇବା ନିମନ୍ତେ ସରକାରଙ୍କ ପକ୍ଷରୁ ଉଚିତ୍ ପଦକ୍ଷେପ ଗ୍ରହଣ କରାଯିବା ଏବଂ ଅଂଚଳବାସୀ ତାତିରୁ ନିସ୍ତାର ପାଇବା ପାଇଁ ବିଜୁଳି ବିଭ୍ରାଟ ଲୋକେ ଅତିଷ୍ଟ ନହୁନ୍ତୁ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଉଛି । ଅପରପକ୍ଷେ ପୂର୍ବବର୍ଷ ସକାଳ ୮ଘଟିକା ଠାରୁ ଅପରାହ୍ଣ ୫ଘଟିକା ପର୍ଯ୍ୟନ୍ତ ଘରୁ ପଦାକୁ ଗୋଡ଼ କାଢ଼ିବା ସମ୍ଭବ ହେଉନଥିଲା । ପୁନଶ୍ଚ ଆଜି ପ୍ରଖର ତାତି ଓ ଗୁଳୁଗୁଳି ଜନିତ ଅସହ୍ୟ ଗମର ଯୋଗୁଁ ଜନଜୀବନ ଦହଗଞ୍ଜ ହୋଇପଡ଼ିଛି । କଳାହୀରା ସହରଭାବେ ତାଳଚେର କୋଇଲା ନଗରୀ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି, ମାତ୍ର ବିକାଶ ଯେତିକି ଆଗେଇଲା ସେହି ଅନୁପାତରେ ଲୋକଙ୍କ ଦୁର୍ଦ୍ଦଶା ମଧ୍ୟ ସେତିକି ବଢ଼ିବାରେ ଲାଗିଲା । ଖଣିଖାଦାନ ଯୋଗୁଁ ଜଙ୍ଗଲ ନଷ୍ଟ ହେବା ସାଙ୍ଗକୁ ଖରାପ୍ରକୋପ ଧିରେଧିରେ ବଢ଼ିବାକୁ ଲାଗିଲା । ଅଂଚଳରେ ଅତ୍ୟଧିକ ଖରା ଯୋଗୁଁ ଶରୀର ସାମନ୍ୟ ଆଶ୍ୱସ୍ତି ପାଇବାକୁ ନେଇ ଲୋକେ ଲସି, ସରବତ୍ ଓ ଥଣ୍ଡା ପାନୀୟଜଳ ପିଇବାର ଦୃଶ୍ୟ ପରିଲକ୍ଷିତ ହୋଇଥିଲା । ତେବେ ଖରା ପ୍ରକୋପରୁ ସର୍ବସାଧାରଣ ରକ୍ଷା ପାଇବା ପାଇଁ ଯଥାଶିଘ୍ର ସୁବ୍ୟବସ୍ଥା କରାଯାଉ ବୋଲି ଅଂଚଳବାସୀଙ୍କ ମହଲରେ ମତପ୍ରକାଶ ପାଇଛି ।



