ଶିକ୍ଷାବିତ୍ ଡ.ପ୍ରଶାନ୍ତ ରଥଙ୍କୁ ଶ୍ରୀରଙ୍ଗରାଜ ସମ୍ମାନ
ତାଳଚେର, ୧୭/୦୪ ତାଳଚେରର ବିଶିଷ୍ଟ ପ୍ରାବନ୍ଧିକ ଓ ସାହିତ୍ୟିକ ଶିକ୍ଷାବିତ୍ ଡ.ପ୍ରଶାନ୍ତ ରଥଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ଶ୍ରୀରଙ୍ଗରାଜ ସମ୍ମାନରେ ସମ୍ମାନୀତ କରାଯାଇଛି । ଢେଙ୍କାନାଳର ମିନି ଷ୍ଟାଡ଼ିୟମ ପରିସରରେ ଅନୁଷ୍ଠିତ ଦ୍ୱିତୀୟ ମହିମା ବହି ମେଳାର ଷଷ୍ଠ ସନ୍ଧ୍ୟାରେ କବି ଭୂଷଣ ସ୍ମୃତି ସଂସଦ ପକ୍ଷରୁ କବିଭୂଷଣ ରାଜକିଶୋର ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସଂକର୍ଷଣ ଶତପଥୀ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ପୌରାଧ୍ୟକ୍ଷ ଜୟନ୍ତୀ ପାତ୍ର, ସମ୍ମାନୀତ ଅତିଥି ଭାବରେ ଶିକ୍ଷାବିତ୍ ରମେଶ ଚନ୍ଦ୍ର ସାହୁ, ପ୍ରଶାନ୍ତ କିଶୋର ସାହୁ, ଅବସରପ୍ରାପ୍ତ ଅଧ୍ୟାପକ ଡ.ରମେଶ ଚନ୍ଦ୍ର ସାହୁ, ନିୟୁ ଇଣ୍ଡିଆର ସଂପାଦକ ଶେଷଦେବ ରାଉତ, କବି ଭୂଷଣ ସ୍ମୃତି ସଂସଦର ସଂପାଦକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଓ ମୁଖ୍ୟ ବକ୍ତା ଭାବରେ ଗବେଷକ ତପନ କୁମାର ଶତପଥୀ ପ୍ରମୁଖ ମଂଚାସୀନ ହୋଇଥିଲେ । ଏହି ଅବସରରେ ଶିକ୍ଷାବିତ୍ ଡ.ପ୍ରଶାନ୍ତ ରଥଙ୍କୁ ଜୀବନବ୍ୟାପୀ ସାହିତ୍ୟ ସାଧନା ତଥା ଜଣେ ଉଚ୍ଚକୋଟୀର ସୁସଂଗଠକ ଭାବରେ ବହୁ ଅନୁଷ୍ଠାନ ସହ ଜଡ଼ିତ ଥିବାରୁ ମୁଖ୍ୟ ଅତିଥି ଜୟନ୍ତୀ ପାତ୍ର ମାନପତ୍ର, ଉପଢୌକନ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଡ. ରଥ ଅଦ୍ୟାବଧି ୩୦ରୁ ଉର୍ଦ୍ଧ୍ୱ ପୁସ୍ତକ ରଚନା କରିଥିବା ବେଳେ ତାଙ୍କର ବହୁ ଲେଖା ଓଡ଼ିଶାର ବିଭିନ୍ନ ସମ୍ବାଦପତ୍ର ଓ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇପାରିଛି । ଶ୍ରୀ ରଥଙ୍କ ଏଭଳି ସଫଳତା ପାଇଁ ବହୁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।



