ଅପହଞ୍ଚ ଅଞ୍ଚଳରେ କେମିତି ଚାଲିଛି ଆବାସ ଯୋଜନା ଗୃହ ନିର୍ମାଣ
ଢେଙ୍କାନାଳ : ଆଜି ଶୁକ୍ରବାର ଆମ୍ ଆଦମୀ ପାର୍ଟି ଲୋକସଭା କ୍ଷେତ୍ର ସଭାପତି ପଙ୍କଜ ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଗଁଦିଆ ବ୍ଲକ ଅନ୍ତର୍ଗତ ସୋରିସିଆପଦା ପଂଚାୟତର ସର ତେନ୍ତୁଳିଆ ଗ୍ରାମ ଅପହଞ୍ଚ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପହଞ୍ଚି କେମିତି ଚାଲିଛି ଆବାସ ଯୋଜନା ଗୃହ ନିର୍ମାଣ ତଦାରଖ କରିଥିଲେ । ଗ୍ରାମର ସଅର ବର୍ଗର ବ୍ୟକ୍ତି ଖଗେଶ୍ୱର ବେହେରା ଗତ ୨୦୨୨-୨୩ ମସିହାରେ ଆବାସ ଯୋଜନାରେ ଘର ପାଇଥିଲେ। ନିଜେ ଘର ତିଆରି କରିବାପାଇଁ ସମ୍ବଳ ନଥିବାରୁ ଠିକାଦାର ମାଧ୍ୟମରେ କରାଇଥିଲେ। ମାତ୍ର ଏକ ଲକ୍ଷ ଚାଳିଶ ହଜାର ଟଙ୍କା ପାଇଛନ୍ତି। ଦୁଃଖର ବିଷୟ ଦୁଇ ବର୍ଷ ପୂର୍ବରୁ ହୋଇଥିବା ଘର ଛାତରୁ ପାଣି ଗଳୁଛି l ତଳ ମେଜିଆ ହୋଇପାରିଲାନି, କବାଟ, ଝରକା ମଧ୍ୟ ନାହିଁ। ପଲସ୍ତରା ଓ ରଙ୍ଗ କଥା ପଚାରେ କିଏ। ଏପରି ଗୃହ ଗୁଡିକ ସ୍ଥାନୀୟ ଜନ ପ୍ରତିନିଧି ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଦାରଖ କରିବା ଉଚିତ। ଏଠି ପ୍ରଶ୍ନ ଉଠୁଛି ଯେ ଓଡ଼ିଶାରେ ନେତା, ମନ୍ତ୍ରୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ଏହିପରି ଗୃହରେ ରହିପାରିବେ କି? ବିନା କବାଟ ଝରକା ଘରେ ସେମାନେ ରହିପାରିବେ କି? ସେମାନଙ୍କ ଟାଇଲ ଘରେ ଏସି, ସାୱାର ପାଣି, ମାର୍ବଲ ଲାଗିବ। ଅଥଚ ଏହି ଗରିବ ଲୋକଙ୍କୁ ଭଣ୍ଡାଉଛନ୍ତି କାହିଁକି? ଏସବୁ ବ୍ୟବସ୍ଥା ସେମାନଙ୍କ ପାଇଁ କରାଯାଉନି କାହିଁକି? ଏପରି ସ୍ଥଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସେହି ବ୍ୟକ୍ତି ମାନଙ୍କ ଛାତ ମରାମତି, କବାଟ ଝରକା ଲଗାଇବା, ତଳ ମେଜିଆ ପଲସ୍ତରା ଇତ୍ୟାଦି କରିବାପାଇଁ ଆମ୍ ଆଦମୀ ପାର୍ଟି ଦାବି କରୁଛି। ଏହି କାର୍ଯ୍ୟରେ କୃପାସିନ୍ଧୁ ଦେହୁରୀ, ସନାତନ ଗୁଇଆ, ଅନାମ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।



