ପୁରୀ : ପୁରୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ । ପତ୍ନୀଙ୍କ ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଥିଲା । କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ମଧ୍ୟ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।
ମହାପ୍ରଭୁଙ୍କ ଦର୍ଶନ କରିବା ସହ ପାର୍ଶ୍ଵ ଦେବାଦେବୀଙ୍କୁ ମଧ୍ୟ ଦର୍ଶନ କରି ନିଜକୁ ଧନ୍ୟମନେ କରିଛନ୍ତି । ଶ୍ରୀମନ୍ଦିରକୁ ଯିବା ସମୟରେ ବ୍ୟାରିକେଡ଼ରେ ଥିବା ଭକ୍ତମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ମଙ୍ଗଳବାର ଭୁବନେଶ୍ୱରରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରିବ । ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀର ଅଧ୍ୟକ୍ଷତା କରିବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ।
ଏହି ସମ୍ମିଳନୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷକ ପ୍ରତିନିଧି, କୃଷି ବିଶେଷଜ୍ଞ, କୃଷକ ଉତ୍ପାଦକ ସଂଗଠନ (ଏଫପିଓ), ଷ୍ଟାର୍ଟଅପ୍, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗଦେବେ ।
ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି କୃଷି କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, କୃଷକଙ୍କ ଆୟ ବୃଦ୍ଧି କରିବା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା। ସମ୍ମିଳନୀ ସମୟରେ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଓ କାର୍ୟ୍ୟକ୍ରମର ଅଗ୍ରଗତି ସମୀକ୍ଷା କରାଯିବ । ଏଥିସହିତ କୃଷି କ୍ଷେତ୍ର ସହିତ ଜଡିତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯିବ।
ସମ୍ମିଳନୀ ସମୟରେ, କୃଷକ ରେଜିଷ୍ଟ୍ରିରେ ହୋଇଥିବା ପ୍ରଗତି, ଉଦ୍ୟାନ କୃଷି କ୍ଷେତ୍ରର ସମ୍ଭାବନା, ଡାଲି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ମିଶନ, ଜାତୀୟ ଖାଇବା ତେଲ-ତୈଳବୀଜ ମିଶନ (ଏନଏମଇଓ-ଓଏସ), ପିଏମ-ଆଶା, ଜାତୀୟ ପ୍ରାକୃତିକ କୃଷି ମିଶନ, କୃଷି ଋଣ ଏବଂ କିଷାନ କ୍ରେଡିଟ୍ କାର୍ଡ ସମ୍ପର୍କିତ ପ୍ରସଙ୍ଗ ଉପରେ ବିଶେଷ ଆଲୋଚନା କରାଯିବ ।
ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟ ଦ୍ୱାରା ଗ୍ରହଣ କରାଯାଇଥିବା କୃଷି କ୍ଷେତ୍ରରେ ସଫଳ ପଦକ୍ଷେପ ଓ ନବସୃଜନକୁ ମଧ୍ୟ ପ୍ରଦର୍ଶିତ କରାଯିବ । ଓଡ଼ିଶା ଏହାର କୃଷି ସମ୍ପ୍ରସାରଣ କାର୍ୟ୍ୟ, ପଶ୍ଚିମବଙ୍ଗ ଏହାର ବିହନ ଉତ୍ପାଦନର ସର୍ବୋତ୍ତମ ଅଭ୍ୟାସ, ଝାଡ଼ଖଣ୍ଡ ଏହାର ଏଫପିଓ-ଆଧାରିତ ମୂଲ୍ୟ ଶୃଙ୍ଖଳ ଓ କୃଷି ଷ୍ଟାର୍ଟଅପ୍ ଇକୋସିଷ୍ଟମ ଏବଂ ବିହାର ମକା ଉତ୍ପାଦନ ଓ ବିପଣନ କ୍ଷେତ୍ରରେ ଏହାର ସଫଳ ଅଭିଜ୍ଞତା ବାଣ୍ଟିବ ।
ଏହି ସମ୍ମିଳନୀ କୃଷି କ୍ଷେତ୍ରରେ ବିଭିନ୍ନ ଆହ୍ୱାନର ମୁକାବିଲା, ନବସୃଜନ ବାଣ୍ଟିବା ଏବଂ କୃଷକମାନଙ୍କ ହିତକୁ ଦୃଷ୍ଟିରେ ରଖି ସ୍ଥାୟୀ ବିକାଶ ପାଇଁ ଭବିଷ୍ୟତ ରଣନୀତି ବିକଶିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ କାର୍ୟ୍ୟ କରିବ । ସମ୍ମିଳନୀ ପରେ, କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବେ ।



