ବାଲିଗୁଡାରେ ଗ୍ରୀଷ୍ମ ପ୍ରବାହ ବଢୁଛି : ୪୨ ଡିଗ୍ରୀ ପାର କଲା ପାରଦ : ବିଦ୍ୟୁତ ର ଲୁଚକାଳି ଖେଳ ରେ ଜନ ଅସନ୍ତୋଷ

ବାଲିଗୁଡା, ତା, ୨୪/୦୫:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସମେତ ସମଗ୍ର ଦକ୍ଷିଣ ଓଡ଼ିଶାରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବିଶେଷକରି ବାଲିଗୁଡା ଓ ଏହାର ଆଖପାଖ ଅଞ୍ଚଳରେ ସୂର୍ଯ୍ୟଙ୍କ ପ୍ରକୋପ ଅସହ୍ୟ ହୋଇପଡ଼ିଛି।

ଚଳିତ ସପ୍ତାହରେ ଏଠାରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୪୨ ଡିଗ୍ରୀ ସେଲସିୟସରୁ ଅଧୂକ ରେକର୍ଡ କରାଯାଇଛି। ସକାଳ ୮ଟା ବାଜିବା ମାତ୍ରେ ତାତି ଏତେ ବଢ଼ିଯାଉଛି ଯେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡୁଛି। ଏପରି ସ୍ଥଳେ ଦିନ ତମାମ ବିଦ୍ୟୁତ ର ଲୁଚକାଳି ଖେଳ ଜନସାଧାରଣ ଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି l ଅସହ୍ୟ ତାତି ଓ ଗରମ ପବନ ଉତ୍ତର-ପଶ୍ଚିମ ଦିଗରୁ ଆସୁଥିବା ଯୋଗୁଁ ବାଲିଗୁଡା ରେ ଲୁ’ର ପ୍ରଭାବ ଦେଖୁବାକୁ ମିଳୁଛି। ଦ୍ଵିପ୍ରହର ସମୟରେ ରାସ୍ତାଘାଟ ସମ୍ପୂର୍ଣ୍ଣ ଶୂନଶାନ ହୋଇଯାଉଛି l ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏହି ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହିପରି ପ୍ରବଳ ଗରମ ଜାରି ରହିବ ବୋଲି ଅନୁମାନ କରାଯାଉଛି। ପ୍ରବଳ ଖରା ଓ ଗରମ ଯୋଗୁଁ ସ୍ଥାନୀୟ ବ୍ୟବସାୟ ଓ ଦୈନିକ ମଜୁରିଆଙ୍କ ଜୀବିକା ଗଭୀର ଭାବେ ପ୍ରଭାବିତ ହୋଇଛି। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଲୋକମାନେ ଛତା, ଠେକା ଏବଂ ପ୍ରଚୁର ପାଣି ବ୍ୟବହାର କରୁଛନ୍ତି। ସ୍ବାସ୍ଥ୍ୟ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଜରୁରୀ କାର୍ଯ୍ୟ ନଥିଲେ ଦ୍ଵିପ୍ରହର ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଖରାରେ ବାହାରକୁ ନ’ବାହାରିବା ପାଇଁ ଅନୁରୋଧ କରା ଯାଇଛି। ଏହା ସହିତ ଶରୀରକୁ ସୁସ୍ଥ ରଖିବା ପାଇଁ ଅଧିକ ପରିମାଣରେ ପାଣି, ଦହି, ତୋରାଣି ଏବଂ ଓଆରଏସ ପିଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।




