ଯମରାଜାଙ୍କ ଦୂତ ପାଲଟିଛି ୫୨୦ ଜାତୀୟ ରାଜପଥର, ଟୋଣ୍ଟ ରୁ BRPL ଛକ!
କେତେ ଜୀବନଗଲେ ଚେତିବ ଆଞ୍ଚଳିକ ପ୍ରଶାସନ।

ବଡ଼ବିଲ:କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ କୁମ୍ଭାରମୁଣ୍ଡା ଦେଇ ଯାଇଥିବା ୫୨୦ ନମ୍ବର ଜାତୀୟ ରାଜପଥର ଟୋଣ୍ଟ ସ୍ଥିତ BRPL ନିକଟ ଅଞ୍ଚଳ ଏବେ ଦୁର୍ଘଟଣା ପ୍ରବଣ ସ୍ଥାନ ଭାବେ ପରିଚିତ ହୋଇପଡ଼ିଛି, ଯାହାକି ମନେହୁଏ ଯମରାଜାଙ୍କ ଦୂତ ଏହି ଅଞ୍ଚଳରେ ସଦାସର୍ବଦା ତତ୍ପର ହୋଇ ରହିଛନ୍ତି।ଏହି ସ୍ଥାନରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ଅନେକ ନିରୀହ ଲୋକ ଜୀବନ ହରାଇଛନ୍ତି ଓ ଅନେକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତଥାପି ଜାତୀୟ ରାଜପଥ କର୍ତ୍ତୃପକ୍ଷ (NHAI) ପକ୍ଷରୁ ଏହି ସ୍ଥାନକୁ “Accident Prone Zone” ଭାବେ ଚିହ୍ନଟ କରି ସତର୍କ ସୂଚନା ବୋର୍ଡ ଲଗାଇବା କିମ୍ବା ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାରେ କୌଣସି ତତ୍ପରତା ଦେଖାଯାଉନାହିଁ। ଅନ୍ୟପଟେ ଆଞ୍ଚଳିକ ପ୍ରଶାସନିକ ଅଧିକାରୀ, ଏହିଭଳି ଦୁର୍ଘଟଣା କୁ ରୋକିବାରେ ସମ୍ପୂର୍ଣ ବିଫଳ ହୋଇଥିବା ମନେହୁଏ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏହି ରାସ୍ତାରେ ଭାରୀ ଯାନବାହନର ଚଳାଚଳ ଅଧିକ ଥିବା ସତ୍ତ୍ୱେ ପର୍ଯ୍ୟାପ୍ତ ସତର୍କତାମୂଳକ ସଙ୍କେତ, ସ୍ପିଡ୍ କଣ୍ଟ୍ରୋଲ ବ୍ୟବସ୍ଥା କିମ୍ବା ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ନାହିଁ। ଫଳରେ ପ୍ରାୟ ପ୍ରତିଦିନରେ କୌଣସି ନା କୌଣସି ଛୋଟ ବଡ ଦୁର୍ଘଟଣା ଘଟୁଅଛି। ସେହିଭଳି ଏକ ସିରିଜ୍ ଦୁର୍ଘଟଣା ଏହି ଅଞ୍ଚଳରୁ ସାମ୍ନାକୁ ଆସିଛି। ଦୁର୍ଘଟଣା ଖବର ପାଇ ବଡ଼ବିଲ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିବା ବେଳେ ବଡ଼ବିଲ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।
ସାଧାରଣ ଲୋକ ପ୍ରଶ୍ନ କରୁଛନ୍ତି ଆଉ କେତେ ମୁଣ୍ଡ ଗଡିଲା ପରେ NHAI ଓ ଆଞ୍ଚଳିକ ପ୍ରଶାସନର ନିଦ ଭାଙ୍ଗିବ? ଦୁର୍ଘଟଣା ରୋକିବା ପାଇଁ ତୁରନ୍ତ ସତର୍କ ସୂଚନା ବୋର୍ଡ, ସ୍ପିଡ୍ ବ୍ରେକର, ରୋଡ୍ ମାର୍କିଂ ଓ ଆଲୋକ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୁଏ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




