ଗଞ୍ଜାମ/ଛତ୍ରପୁର – ପୁଲିସ ବିଭାଗକୁ ନେଇ ପୁଣିଥରେ ଉଠିଛି ଗୁରୁତର ପ୍ରଶ୍ନ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗରେ ଛତ୍ରପୁର ରିଜର୍ଭ ପୁଲିସର ଜଣେ କର୍ମଚାରୀ ଗିରଫ ହୋଇଛନ୍ତି। ଅଭିଯୁକ୍ତ ପୁଲିସ କର୍ମଚାରୀ ହେଉଛନ୍ତି ଓଏଏସଆଇ ଗୌରାଙ୍ଗ ବେହେରା। ଘଟଣାକୁ ନେଇ ପୁଲିସ ବିଭାଗରେ ଚର୍ଚ୍ଚା ଜୋର ଧରିଛି।
ପ୍ରାପ୍ତ ସୂଚନା ଅନୁସାରେ, ଅଭିଯୁକ୍ତ ଗୌରାଙ୍ଗ ବେହେରାଙ୍କ ବିରୋଧରେ ପୀଡ଼ିତା ମହିଳା ଗୁରୁତର ଅଭିଯୋଗ ଆଣିଥିବା ଜଣାପଡ଼ିଛି।
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଇଚ୍ଛା ବିରୋଧରେ ଅଭିଯୁକ୍ତ ଗୌରାଙ୍ଗ ବେହେରା ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ଏନେଇ ସେ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ମାମଲାକୁ ଗୁରୁତ୍ୱର ସହ ନେଇ ଛତ୍ରପୁର ଥାନା ପୁଲିସ ତଦନ୍ତ ଆରମ୍ଭ କରିବା ସହ ଆଜି ଅଭିଯୁକ୍ତ ଗୌରାଙ୍ଗ ବେହେରାଙ୍କୁ ଗିରଫ କରିଛି।
ଯେଉଁ ପୁଲିସ ଉପରେ ଲୋକଙ୍କ ସୁରକ୍ଷାର ଦାୟିତ୍ୱ ରହିଛି, ସେହି ବିଭାଗର ଜଣେ କର୍ମଚାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ପୁଲିସର ଭୂମିକା ଓ ଭାବମୂର୍ତ୍ତିକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ତୀବ୍ର ଚର୍ଚ୍ଚା ଦେଖାଦେଇଛି। ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଥିବା ବେଳେ, ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ଜଣାପଡ଼ିଛି। ଏହି ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।



