ଗଣେଶ ପୂଜା ଚାନ୍ଦାକୁ ନେଇ ଚୁଡ଼ି ବେପାରୀଙ୍କୁ ଆକ୍ରମଣ ଅଭିଯୋଗ
୫୦ ଟଙ୍କା ଚାନ୍ଦା ଦେବାରୁ ମାଡ଼, ୬ ହଜାର ଟଙ୍କା ନେଇଯିବା ଅଭିଯୋଗ; ଜଣେ ଅଟକ
ଅନୁଗୋଳ: ଗଣେଶ ପୂଜା ପାଇଁ ଚାନ୍ଦା ଆଦାୟକୁ କେନ୍ଦ୍ର କରି ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଜଣେ ଚୁଡ଼ି ବେପାରୀଙ୍କୁ ଆକ୍ରମଣ ଓ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି। ଏହି ଘଟଣା ଭୋଗବେରେଣୀ ଗ୍ରାମର ପାଣିଗୋଳା ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ଗଣେଶ ପୂଜା ପାଇଁ ତିନି ଜଣ ବ୍ୟକ୍ତି ଉତ୍ତରପ୍ରଦେଶ ର ଚୁଡ଼ି ବେପାରୀ ଅନିଲ ସିଂହଙ୍କୁ ୧,୦୦୦ ଟଙ୍କା ଚାନ୍ଦା ମାଗିଥିଲେ। ତେବେ ଅନିଲ ୧,୦୦୦ ଟଙ୍କା ବଦଳରେ ୫୦ ଟଙ୍କା ଦେବାରୁ ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।
ଏଥିସହ ତାଙ୍କ ନିକଟରୁ ପ୍ରାୟ ୬,୦୦୦ ଟଙ୍କା ନେଇ ଅଭିଯୁକ୍ତମାନେ ସେଠାରୁ ଚାଲିଯାଇଥିବା ଅନିଲ ଅଭିଯୋଗ କରିଛନ୍ତି। ଘଟଣା ପରେ ଏନେଇ ବଅଁରପାଳ ଥାନାରେ ଅଭିଯୋଗ କରାଯାଇଛି।
ଅଭିଯୋଗ ପାଇବା ପରେ ଥାନା ଆଇଆଇସି ଦୁଷ୍ମନ୍ତ କୁମାର ସିଂହଙ୍କ ନିର୍ଦ୍ଦେଶରେ ଏସ୍ଆଇ ମନୋଜ ମିଶ୍ର ଓ ଏଏସ୍ଆଇ ଶିବ ଶଙ୍କର ନାଏକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପୋଲିସ ଘଟଣାସ୍ଥଳରୁ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଥାନାରେ ପଚରାଉଚରା କରୁଛି।
ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କ ଭୂମିକା ଏବଂ ଅଭିଯୋଗର ସମ୍ପୂର୍ଣ୍ଣ ସତ୍ୟତା ନେଇ ପୋଲିସ ତଦନ୍ତ ଜାରି ରଖିଛି।



