ଖାଦ୍ୟ ନାଁରେ ପରଷୁଛନ୍ତି ବିଷ: ଢେଙ୍କାନାଳରେ ହୋଟେଲ ଓ ଢାବା ଉପରେ ଏନଫୋର୍ସମେଣ୍ଟ ଟିମର ଚଢ଼ାଉ, ଲକ୍ଷାଧିକ ଟଙ୍କା ଜରିମାନା

ଢେଙ୍କାନାଳ: ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳ ଖେଳୁଛନ୍ତି ଅସାଧୁ ବ୍ୟବସାୟୀ। ସହର ତଥା ଆଖପାଖ ଅଞ୍ଚଳରେ ଥିବା ହୋଟେଲ, ଢାବା ଏବଂ ଜଳଖିଆ ଦୋକାନଗୁଡ଼ିକରେ ଖାଦ୍ୟ ନାଁରେ ବିଷ ପରଷା ଯାଉଥିବା ନେଇ ବାରମ୍ବାର ଅଭିଯୋଗ ହେବା ପରେ ଆକ୍ସନ ମୋଡ଼କୁ ଆସିଛି ପ୍ରଶାସନ। ଢେଙ୍କାନାଳ ଜିଲ୍ଲାରେ ପୁଣି ଥରେ ବିଭିନ୍ନ ଢାବା, ହୋଟେଲ ଓ ଜଳଖିଆ ଦୋକାନ ଉପରେ ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଜୋରଦାର ଚଢ଼ାଉ କରାଯାଇଛି।
ବିପୁଳ ପରିମାଣର ବାସୀ ଖାଦ୍ୟ ଓ ଏକ୍ସପାଏରି ସାମଗ୍ରୀ ଜବତ ଏହି ଚଢ଼ାଉ ସମୟରେ ବିଭିନ୍ନ ହୋଟେଲ ଏବଂ ଢାବାର ରୋଷେଇ ଘରୁ ପୁଳାପୁଳା ବାସୀ ଖାଦ୍ୟ, ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ସାମଗ୍ରୀ ଏବଂ ବହୁଦିନରୁ ମିଆଦ ପୂରିଯାଇଥିବା (Expired) ତେଲ, ମସଲା ଓ ରାସାୟନିକ ସାମଗ୍ରୀ ଜବତ କରାଯାଇଛି। କେତେକ ସ୍ଥାନରେ ଫ୍ରିଜ୍ ଭିତରେ ବହୁ ପୁରୁଣା ମାଂସ ଓ ରନ୍ଧା ଖାଦ୍ୟ ସାଇତି ରଖାଯାଇ ଗ୍ରାହକଙ୍କୁ ପରଷା ଯାଉଥିବା ଦେଖିବାକୁ ମିଳିଥିଲା। ପ୍ରଶାସନ ପକ୍ଷରୁ ସେହି ସମସ୍ତ ଅଖାଦ୍ୟକୁ ତୁରନ୍ତ ନଷ୍ଟ କରାଯାଇଛି।
ଲକ୍ଷାଧିକ ଟଙ୍କାର ଫାଇନ୍ ଆଦାୟ ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ କରିବା, ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରିବା ଏବଂ ମିଆଦ ପୂରିଥିବା ସାମଗ୍ରୀ ବ୍ୟବହାର କରୁଥିବା ହୋଟେଲ ଓ ଢାବା ମାଲିକଙ୍କ ଠାରୁ ଏନଫୋର୍ସମେଣ୍ଟ ଟିମ୍ ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ କରିଛି। ଏହା ସହିତ ନିୟମ ନ ମାନିଲେ ଦୋକାନ ସିଲ୍ କରାଯିବା ସହ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ଚେତାବନୀ ଦେଇଛି। ଆଗାମୀ ଦିନରେ ମଧ୍ୟ ଏହି ଯାଞ୍ଚ ଅଭିଯାନ ନିୟମିତ ଜାରି ରହିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।



