ବେଆଇନ ଡିଜେଲ ଚାଲାଣ ଉପରେ ପୋଲିସର ଚଢ଼ାଉ, ୨୮୦ ଲିଟର ଡିଜେଲ ଜବତ; ଜଣେ ଗିରଫ
ଅନୁଗୋଳ: ବେଆଇନ ଭାବେ ଡିଜେଲ ଚାଲାଣ ଅଭିଯୋଗରେ ବାଗେଡ଼ିଆ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିବା ସହ ୨୮୦ ଲିଟର ଡିଜେଲ ଜବତ କରିଛି। ଏଥିସହ ଚାଲାଣରେ ବ୍ୟବହୃତ ଏକ ଇଣ୍ଡିଗୋ କାରକୁ ମଧ୍ୟ ପୋଲିସ ଜବତ କରିଛି।
ପୋଲିସ ସୂଚନା ଅନୁଯାୟୀ, ବାଗେଡ଼ିଆ ଥାନା ପକ୍ଷରୁ ନିୟମିତ ଗାଡ଼ି ପେଟ୍ରୋଲିଂ ଚାଲିଥିବା ସମୟରେ ବାରମଞ୍ଚା ବାଲିସାହି ମନ୍ଦିର ନିକଟରେ ଏକ ଧଳା ରଙ୍ଗର ଇଣ୍ଡିଗୋ କାର ଉପରେ ପୋଲିସର ସନ୍ଦେହ ହୋଇଥିଲା। ପରେ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରାଯାଇଥିଲା।
ଯାଞ୍ଚ ବେଳେ କାର ଭିତରୁ ୧୪ଟି ଜାରକିନରେ ରଖାଯାଇଥିବା ପ୍ରାୟ ୨୮୦ ଲିଟର ଡିଜେଲ ଠାବ ହୋଇଥିଲା। ଏହାପରେ ପୋଲିସ ଡିଜେଲ ଜବତ କରିବା ସହ କାର ଚାଳକଙ୍କୁ ହେପାଜତକୁ ନେଇଥିଲା।
ଗିରଫ ଯୁବକଙ୍କ ପରିଚୟ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ବାଟଗାଁର ରଂଜିତ ଦେହୁରୀ (୩୫) ବୋଲି ଜଣାପଡ଼ିଛି।
ଘଟଣା ସମ୍ପର୍କରେ ବାଗେଡ଼ିଆ ପୋଲିସ ମାମଲା ରୁଜୁ କରି ଡିଜେଲ କେଉଁଠାରୁ ଅଣାଯାଇଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ତଦନ୍ତ ଜାରି ରଖିଛି।



