ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର : ଶିଳାନ୍ୟାସ କଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର

ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ଡାଲି ଆମଦାନୀ ହ୍ରାସ କରାଯାଇଥିବାରୁ 15ହଜାର କୋଟି ଟଙ୍କା ସଞ୍ଚୟ କରାଯାଇପାରିଛି : କେନ୍ଦ୍ର କୃଷି ମନ୍ତ୍ରୀ
ଜେ ବି ଏନ, ୧୧/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନ (ଆଇଆଇପିଆର)ର ଆଞ୍ଚଳିକ କେନ୍ଦ୍ର। ଏହାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର। ଶ୍ରୀ ତୋମର ମଧ୍ୟ ଭୋପାଳ ଓ ବିକାନେରରେ ଆଇଆଇପିଆର ଆଞ୍ଚଳିକ କେନ୍ଦ୍ରର କାର୍ଯ୍ୟାଳୟ ଏବଂ ପରୀକ୍ଷାଗାର ଭବନକୁ ଉଦଘାଟନ କରିଛନ୍ତି। ଆଇଆଇପିଆର ପକ୍ଷରୁ ଆୟୋଜିତ ବିଶ୍ବ ଡାଲି ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ତୋମର ଏହି ଶିଳାନ୍ୟାସ ଓ ଉଦଘାଟନ କରିଥିଲେ। ଏହି ଅବସରରେ “ଆତ୍ମନିର୍ଭରଶୀଳତା ଏବଂ ପୋଷଣ ନିରାପତ୍ତା” ଶୀର୍ଷକ ଏକ ତିନି ଦିନିଆ ଜାତୀୟ ସେମିନାର ଆୟୋଜନ କରାଯାଇଥିଲା। ଏଥିରେ 700ରୁ ଊର୍ଦ୍ଧ୍ବ ବୈଜ୍ଞାନିକ, ଗବେଷକ, ନୀତି ନିର୍ଦ୍ଧାରକ, ଛାତ୍ରଛାତ୍ରୀ ଓ କୃଷକମାନେ ଅଂଶଗ୍ରହଣ କରିଥିଲେ, ଯେଉଁମାନେ ଡାଲି ଓ ପୋଷଣ ନିରାପତ୍ତା ଉପରେ ବ୍ୟାପକ ବିଚାର ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମର କହିଥିଲେ ଯେ, ଡାଲି ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି। ବିଗତ 5-6 ବର୍ଷ ମଧ୍ୟରେ ଆମ କୃଷକ ଓ ବୈଜ୍ଞାନିକମାନଙ୍କର କଠିନ ପରିଶ୍ରମ ଏବଂ କେନ୍ଦ୍ର ସରକାରଙ୍କର କୃଷି ଅନୁକୂଳ ନୀତି ଯୋଗୁ ଦେଶରେ ଡାଲି ଉତ୍ପାଦନ 140 ଲକ୍ଷ ଟନରୁ 240 ଲକ୍ଷ ଟନକୁ ବୃଦ୍ଧି ପାଇଛି। ବର୍ତ୍ତମାନ ଆମକୁ ଭବିଷ୍ୟତର ଆବଶ୍ୟକତା ପ୍ରତି ଦୃଷ୍ଟି ଦେବାକୁ ହେବ।
ମନ୍ତ୍ରୀ କହିଥିଲେ ଯେ ଏକ ଆକଳନ ଅନୁଯାୟୀ, 2050 ସୁଦ୍ଧା, 320 ଲକ୍ଷ ଟନ୍ ଆବଶ୍ୟକତା ଦେଖାଦେବ। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ପରେ ଡାଲି ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇଛି। ଯାହାଫଳରେ ଦେଶ 15,000 କୋଟି ଟଙ୍କା ସଞ୍ଚୟ କରିପାରିଛି।
ଲୋକମାନଙ୍କର ସ୍ବାସ୍ଥ୍ୟ ଉପରେ ଡାଲିର ଉତ୍ତମ ପ୍ରଭାବକୁ ଆଖି ଆଗରେ ରଖି ବିଶ୍ବ ଖାଦ୍ୟ ଏବଂ କୃଷି ସଂଗଠନ ପକ୍ଷରୁ ବିଶ୍ବ ଡାଲି ଦିବସ ପାଳନ କରାଯାଉଛି। ଏଥିସହିତ ବିଶ୍ବ ଡାଲି ଫସଲକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ବାରୋପ କରିବ। ମନ୍ତ୍ରୀ କହିଥିଲେ ଯେ 6 ବର୍ଷ ମଧ୍ୟରେ ଡାଲି ଉପରେ ଏମଏସପି 40ରୁ 73 ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ନିଶ୍ଚିତ ଭାବେ ଚାଷୀଙ୍କୁ ଲାଭବାନ କରିବ। କୁପୋଷଣ ଦୂର କରିବାକୁ ହେଲେ ଡାଲି ଚାଷ ଉତ୍ପାଦନ କ୍ଷେତ୍ରରେ ଅଧିକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଥିଲେ। ଏହାକୁ ସୁନିଶ୍ଚିତ କରିବା କ୍ଷେତ୍ରରେ ଭାରତୀୟ କୃଷି ଗବେଷଣା ପରିଷଦ ପ୍ରମୁଖ ଭୂମିକା ନିର୍ବାହ କରିପାରିବ।
2022 ସୁଦ୍ଧା ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ଲକ୍ଷ୍ୟ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଏହି ଲକ୍ଷ୍ୟ ହାସଲ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ଆଇସିଏଆର ଏବଂ ଚାଷୀମାନେ ସମ୍ପୂର୍ଣ୍ଣ ତତ୍ପରତାର ସହିତ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ସଂଶୋଧିତ ଭାବେ ଲାଗୁ କରାଯାଇଛି ଯାହାଫଳରେ ଚାଷୀମାନେ ନିରାପତ୍ତା କଭର ପାଇବା ସହିତ ଫସଲ ହାନି ଜନିତ କ୍ଷତିଭରଣା କରିପାରିବେ। ଗତ 4 ବର୍ଷ ମଧ୍ୟରେ ଚାଷୀମାନେ ବୀମା ପ୍ରିମିୟମ ଆକାରରେ 17 ହଜାର କୋଟି ଟଙ୍କା ପଇଠ କରିଥିବା ବେଳେ ଆମେ ଏହାଠାରୁ 5ଗୁଣା ଅଧିକ ବୀମା ଦାବି 90ହଜାର କୋଟି ଟଙ୍କା ପ୍ରଦାନ କରିସାରିଛୁ। ଏହା ଚାଷୀମାନଙ୍କୁ ବେଶ ଲାଭବାନ କରିବ।
ଶ୍ରୀ ତୋମର କହିଥିଲେ ଯେ ଦେଶର 86 ପ୍ରତିଶତ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଲାଭ ଦେବା ପାଇଁ ଆମେ 10 ହଜାର ଏଫପିଓ ପ୍ରତିଷ୍ଠା କରିବୁ, ଏଥିପାଇଁ 6850 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହା ଛଡ଼ା ଚାଷୀଙ୍କ ପାଇଁ ଏକ ଲକ୍ଷ କୋଟି ଟଙ୍କାର ଭିତ୍ତିଭୂମି ପାଣ୍ଠି ମଧ୍ୟ ସ୍ଥାପନ କରାଯାଇଛି। ଏହା ଅନ୍ତର୍ଗତ ବିଭିନ୍ନ ରାଜ୍ୟରେ ଏକାଧିକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। କୃଷି ଏବଂ ଉଦ୍ୟାନକୃଷି ଜାତ ଉତ୍ପାଦ ନଷ୍ଟ ହେବାରୁ ସୁରକ୍ଷା ଦେବା ଲାଗି କିଷାନ ରେଳ ଏବଂ କୃଷି ଉଡ଼ାନ ଭଳି ଯୋଜନା ଆରମ୍ଭ କରାଯାଇଛି। 150ରୁ ଅଧିକ କିଷାନ ରେଳ ଚଳାଚଳ ଆରମ୍ଭ ହୋଇଛି ଏବଂ ଟିଓପି ଯୋଜନା ଅଧୀନରେ ଭଡ଼ା ଉପରେ 50 ପ୍ରତିଶତ ସବସିଡି ପ୍ରଦାନ କରାଯାଉଛି।
ଏହି କାର୍ଯ୍ୟକ୍ରମ ଅବସରରେ କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ, ଆଇସିଏଆର ମହାନିର୍ଦ୍ଦେଶକ ଡ. ତ୍ରିଲୋଚନ ମହାପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ, କୃଷି ବୈଜ୍ଞାନିକମାନେ ଉପସ୍ଥିତ ଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-3-scaled.jpg)


