୭୭ ତମ ଜିଲ୍ଲା ସ୍ତରୀୟ ସ୍ୱାଧନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଅନୁଗୋଳ , ୨୫/୦୭ :ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସକୁ ପୂର୍ବ ବର୍ଷ ଗୁଡିକ ଭଳି ମହାସମାରୋହରେ ପାଳନ କରାଯିବା ନିମନ୍ତେ ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଭାପତିଙ୍କ ସମେତ ସଭାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟା/ସଦସ୍ୟ ମାନଂକୁ ଜିଲ୍ଲା ପ୍ରସନ ତରଫରୁ ସ୍ବାଗତ ଜଣାଇବା ସହ ବିବରଣୀ ପାଠ କରିଥିଲେ । ଚଳିତ ବର୍ଷ ଏହି ଉତ୍ସବକୁ ମହା ସମାରୋହରେ ପାଳନ କରିବା ପାଇଁ ଉପସ୍ଥିତ ଥିବା ସମସ୍ତ ସଦସ୍ୟା/ସଦସ୍ୟମାନଂକୁ ଅଧ୍ୟକ୍ଷ ମହୋଦୟ ସମ୍ବୋଧନ କରିବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଚଳିତ ବର୍ଷ ପି ଟି ସି ପଡିଆ ଠାରେ ଅଭ୍ୟାସ ପରେଡ ସମେତ ମୁଖ୍ୟ ଉତ୍ସବ ପାଳନ କରାଯିବାକୁ ବୈଠକରେ ସ୍ଥିରିକୃତ ହୋଇଛି । ଏ ସମ୍ପର୍କରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ଟ୍ରେନିଂ କଲେଜ ଅଧ୍ୟକ୍ଷଙ୍କୁ ଦାୟିତ୍ବ ଅର୍ପଣ କରାଯାଇଛି । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ସ୍ବାଧିନତା ଦିବସର ପ୍ରତ୍ୟୁଷରୁ ସହରରେ ଡାକବାଜୀ ଯନ୍ତ୍ର ଯୋଗେ ରାମଧୁନ ପରିବେଷଣ କରାଯିବ । ପୂର୍ବାହ୍ନ ୬ ଘଟିକାରେ ପ୍ରଭାତ ଫେରୀ, ୭ ଘଟିକା ୩୦ ମିନିଟ୍ ସମୟରେ ସମସ୍ତ ସରକାରୀ,ବେସରକାରୀ ଅନୁଷ୍ଠାନ ଓ ଘରୋଇ କୋଠାବାଡିରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ପୂର୍ବାହ୍ନ ୯ ଘଟିକା ୧୫ ମିନିଟ୍ ସମୟରେ ମୁଖ୍ୟ ଅତିଥିଙ୍କ ଦ୍ବାରା ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରାଯିବ । ଏହି ଦିବସ ଉପଲକ୍ଷେ ମହାବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ,ପ୍ରାଥମିକ ବିଦ୍ୟାଳୟ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ବକ୍ତୃତା,ଦେଶାତ୍ମବୋଧକ କଣ୍ଠ ସଙ୍ଗୀତ, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିର କରାଗଲା । ଗତ ହାଇସ୍କୁଲ ସାର୍ଟିଫିକେଟ ପରିକ୍ଷାରେ ସର୍ବୋଚ୍ଚ ନମ୍ୱର ରଖି ଉତ୍ତୀର୍ଣ୍ଣ ହୋଇଥିବା ଜଣେ ଛାତ୍ର ଓ ଜଣେ ଛାତ୍ରୀକୁ ସମ୍ବର୍ଦ୍ଧିତ କରାଯିବ । ସେହିପରି ଗତ ସିବିଏସ୍ ଇ ଓ ଆଇ ସି ଏସ୍ଇ ପରିକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତିର୍ଣ୍ଣ ହୋଇଥିବା ଜଣେ ଲେଖା ଛାତ୍ର ଓ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସ୍ଥିର କରାଗଲା । ପି ଟି ସି ପଡିଆ ଠାରେ ଅଗଷ୍ଟ ୧୧ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଅଭ୍ୟାସ ପରେଡ ଅନୁଷ୍ଠିତ ହେବ । ଉତ୍ସବ ଦିନ ସନ୍ଧ୍ୟା ସମୟରେ ସ୍ଥାନୀୟ ସଭାଘର ଠାରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ତତ୍ତ୍ବାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିରିକୃତ ହୋଇଛି । ଉତ୍ସବ ଦିବସ ସହ ଜଡିତ ବିଭିନ୍ନ ଅନୁଷ୍ଠାନ ବିଭାଗ ନିଜ ନିଜର ଦାୟିତ୍ଵ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ, ଶିଳ୍ପ ସଂସ୍ଥାମାନଙ୍କର ଅଧୁକାରୀ,ଗଣମାଧ୍ୟମର ପ୍ରତିନିଧି, ସ୍ବେଛାସେବୀ, ବୁଦ୍ଧିଜୀବି, ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।







