ପୋକୁଣ୍ଡା- ବୃନ୍ଦାବନପୁର ରାସ୍ତାର ଉନ୍ନତିକରଣ ଖୁବ୍ ଶିଘ୍ର ।
ଅନୁଗୋଳ ତା. ୨୬.୦୭ : – ଚଳିତ ମାସ ୨୫ ତାରିଖରେ ଦୈନିକ ଖବର କାଗଜରେ ଅନୁଗୋଳ ବ୍ଲକ ଅନ୍ତର୍ଗତ ମାଣିକଯୋଡି ପଞ୍ଚାୟତର ବୃନ୍ଦାବନପୁର ଗ୍ରାମକୁ ଗମନାଗମନର ସୁବିଧା ନଥୁବାରୁ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କୁ ଶଗଡରେ ବୋହି ଡାକ୍ତରଖାନାକୁ ପହଞ୍ଚାଇବା ଘଟଣା ଖବର କାଗଜରେ ପ୍ରକାଶ ପାଇଥିଲା । ଏହି ଖବର ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚର ହେବା ପରେ ତପ୍ତରତାର ସହ ସରଜମିନ ତଦନ୍ତ ନିମନ୍ତେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଅନୁଗୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତାଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ଥିବା ବୈଷୟିକ କର୍ମଚାରୀ ମିଳିତ ଭାବେ ପୋକୁଣ୍ଡା- ବୃନ୍ଦାବନପୁର ରାସ୍ତା ପରିଦର୍ଶନ କରିଥିଲେ । ସୂଚନାଯୋଗ୍ୟ ଯେ, ଏହି ରାସ୍ତାର ଉନ୍ନତିକରଣ ପାଇଁ ଗତ ୨୦୨୨-୨୩ ଆର୍ଥୀକ ବର୍ଷରେ ୫ ଲକ୍ଷ ଟଙ୍କା ମନରେଗା ଯୋଜନାରେ ଅନୁମୋଦନ କରାଯାଇଥିଲା ଏବଂ ଏହି ଅଟକଳ ମୂଲ୍ୟରୁ ୧ ଲକ୍ଷ ୭୪ ହଜାର ଟଙ୍କା ଉନ୍ନତିକରଣରେ ଖର୍ଚ୍ଚ ହୋଇସାରିଛି । ସମ୍ପ୍ରତି ପ୍ରବଳ ବର୍ଷା ହେତୁ ଉକ୍ତ ରାସ୍ତାର ଉନ୍ନତିକରଣ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ବର୍ଷା କମିଲେ ଏହା ଉପରେ ଖୁବ୍ ଶିଘ୍ର ପଦକ୍ଷେପ ନିଆଯାଇ ପକ୍କା ରାସ୍ତା କରାଯିବ ବୋଲି ଅନୁଗୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଣାଇଛନ୍ତି ।





