ଆଜି ପବିତ୍ର ନୂଆଁଖାଇ ପର୍ବ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାର କାଳିଆ ସହାୟତା ପାଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସହାୟତା ପ୍ରଦାନ କରିଛନ୍ତି। ରବି ଫସଲ ପାଇଁ ଏହି ସହାୟତା ଦିଆଯାଇଛି।
ପ୍ରତ୍ୟେକ ଚାଷୀ ପରିବାରଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ୨୦୦୦ ଟଙ୍କା ଦିଆ ଯାଇଛି। ଏଥିରେ ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଥିବା ବେଳେ ୬୮ ହଜାର ୭୫୦ ଜଣ ଭୂମି ହୀନ ଚାଷୀ ପରିବାର ଅଛନ୍ତି।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇ କହିଲେ ଯେ ଚାଷୀ ଆମର ଗୌରବ। ରାଜ୍ୟର ଚାଷୀ ପରିବାର ସମ୍ମାନର ସହ, ସ୍ୱାଭିମାନର ସହ ବଂଚୁ ବୋଲି ସେ ଚାହାନ୍ତି। ବିକାଶର ସୁଫଳରେ ଚାଷୀ ସାମିଲ ହେଉ ବୋଲି ସେ କହିଛନ୍ତି।
ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ ୧୨,୫୦୦ କୋଟି ଟଙ୍କାର ସହାୟତା ଦିଆ ଯାଇଛି। କାଳିଆ ସହାୟତା ପାଉଥିବା ଚାଷୀ ମାନଙ୍କ ପିଲା ମାନଙ୍କୁ ରାଜ୍ୟ ସରକାର କାଳିଆ ସ୍କଲାରସିପ ଦେଉଛନ୍ତି। କାଳିଆ ସହାୟତାରେ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ମାନଙ୍କୁ କୃଷି ପାଇଁ ବିହନ, ସାର, ରୋଗ ପୋକ ପାଇଁ ଔଷଧ ଓ ଯାନ୍ତ୍ରିକ ଉପକରଣ କିଣିବା ପାଇଁ ସିଧା ସଳଖ ସହାୟତା ଦିଆଯାଉଛି। ଏହା ଦ୍ବାରା ସେମାନେ ଋଣ ଗ୍ରସ୍ତ ହେବାର ସମ୍ଭାବନା ରହୁ ନାହିଁ ବୋଲି କହିଛନ୍ତି।




