ଭୂବନେଶ୍ୱର: ମହାନ ବିପ୍ଳବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ତାଙ୍କ ଜନ୍ମଭୂମି କେନ୍ଦୁଝର ଜିଲ୍ଲାର କୁସୁମିତା ଠାରେ ମହାସମାରୋହରେ ପାଳିତ ହୋଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫୦ କୋଟି ଟଙ୍କା ବ୍ୟୟ ବରାଦରେ କୁସୁମୀତା ଠାରେ ସ୍ମୃତି ସଂଗ୍ରହାଳୟ ଓ ଵ୍ୟାଖ୍ୟାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଜିଲ୍ଲାରେ ପ୍ରାୟ ୧୧୫୫ କୋଟି ଟଙ୍କା ବ୍ୟୟ ବରାଦର ସମୁଦାୟ ୩୪୦ ଗୋଟି ନୂତନ ପ୍ରକଳ୍ପର ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଳ୍ପବ ସହିତ ଆଧ୍ୟାତ୍ମିକତାର ପ୍ରତୀକ ଥିଲେ ଧରଣୀଧର। ମହାନ ବିପ୍ଲବୀ ଧରଣୀଧର ଓଡ଼ିଶାରେ ବ୍ରିଟିଶ୍ ବିରୋଧୀ ଆନ୍ଦୋଳନରେ ନେତୃତ୍ୱ ଦେଇଥିବା ଏକ ଦୃଢ ସଂଘର୍ଷୀ ନାୟକ। ତାଙ୍କ ଦୃଢ ସଂକଳ୍ପ, ଦେଶପ୍ରେମ ଓ ତ୍ୟାଗ ଆଜି ଯୁବପିଢି ପାଇଁ ପ୍ରେରଣା ସ୍ରୋତ। ଧରଣୀଧରଙ୍କ ସ୍ମୃତିରେ ଭୁବନେଶ୍ୱରରେ ଏକ ଅତିଥି ଭବନ ପ୍ରତିଷ୍ଠା କରାଯିବ। ଯେଉଁ ସ୍ମୃତି ପୀଠ ପାଇଁ ଭିତ୍ତିପ୍ରସ୍ତର ରଖା ଯାଇଛି ସେଥିରେ ଧରଣୀଧରଙ୍କ ପୈତୃକ ବାସ ଗୃହର ସଂରକ୍ଷଣ କରାଯିବ ଏବଂ ତାଙ୍କ ବ୍ୟବହୃତ ସାମଗ୍ରୀ ଗୁଡିକୁ ସୁରକ୍ଷିତ କରି ରଖାଯିବ। ଧରଣୀଧରଙ୍କ ଘର ପାଖରେ ଦୁଇ ଏକର ଜମିରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବା ସହିତ ଏକ ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ। ଏହାକୁ ଏକ ପର୍ଯ୍ୟଟନ ଭାବେ ବିକଶିତ କରିବା ପାଇଁ ପାର୍କ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ।ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, କେନ୍ଦୁଝରରେ ଖୁବଶୀଘ୍ର ଜେଏସ୍ଡବ୍ଲୁ ଦ୍ୱାରା ଏକ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି। ଷ୍ଟିଲପ୍ଲାଣ୍ଟ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୫ ହଜାର କୋଟି ଟଙ୍କା ବିନିଯୋଗ ହେବ। ଏଥି ସହିତ କେନ୍ଦୁଝରରେ ସମୁଦାୟ ୧,୨୯,୮୦୦ କୋଟି ଟଙ୍କା ପୁଞ୍ଜିନିବେଶରେ ୩୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଯାହାଦ୍ୱାରା ୩୦ରୁ ୩୫ ହଜାର ଯୁବକ ଯୁବତୀ ରୋଜଗାର ପାଇବେ।କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିପ୍ଲବୀ ଧରଣୀଧରଙ୍କୁ ସ୍ୱାଭିମାନର ପ୍ରତୀକ ବୋଲି କହିବା ସହିତ ତାଙ୍କ ଜୀବନୀରୁ ପ୍ରତ୍ୟେକ ବର୍ଗ ଅନୁପ୍ରାଣିତ ହେବା ପାଇଁ କହିଥିଲେ।ଅପରପକ୍ଷରେ କେନ୍ଦୁଝରର କାଙ୍ଗାଳି ଚରଣ ନାଏକଙ୍କୁ ଧରଣୀଧର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡଃ ଫକୀର ମୋହନ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ ପ୍ରମୁଖ ନିଜ ଅଭିଭାଷଣ ରଖିଥିଲେ।ସେହିପରି କାର୍ଯ୍ୟକ୍ରମରେ ବିପ୍ଲବୀ ଧରଣୀଧର ନାଏକଙ୍କ ବଂଶଧର କଳାକର ନାଏକ ଯୋଗଦେଇଥିବା ବେଳେ ଭୂୟାଁ ସାଂସ୍କୃତିକ ସଂଗଠନର ସମ୍ପାଦକ ଶ୍ୟାମ ସୁନ୍ଦର ନାଏକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଭୂୟାଁ ସାଂସ୍କୃତିକ ସଂଗଠନର ଉପଦେଷ୍ଟା ମମିତା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)
