ଜାଗା ଚିହ୍ନଟ ପାଇଁ ଅଭିଯୋଗ କରିଥିବା ମହିଳାମାନଙ୍କୁ ହିନ୍ଦୋଳ ଉପଜିଲ୍ଲାପାଳଙ୍କ ଅପମାନିତ ଅଭିଯୋଗ
ହିନ୍ଦୋଳ ବିଜ୍ଞାପିତ ଅଂଚଳ ପରିଷଦ ଓ୍ବାର୍ଡ ନଂ-୧୨ ଓ ୧୪ ର ଅବାସୀମାନେ ଭୂମିହୀନ ହୋଇଥିବାରୁ ଭୂମି ଅଧିକାର ନିୟମ – ୨୦୧୭ ମୁତାବକ ଭୂମି ଅଧିକାର ପ୍ରମାଣପତ୍ର ପାଇଅଛନ୍ତି । ସେହି ଆଧାରରେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମୁତାବକ କାର୍ଯ୍ୟାଦେଶ ପାଇଛନ୍ତି । ଉକ୍ତ ଜମିକୁ ଚିହ୍ନଟ କରିବା ପାଇଁ ହିନ୍ଦୋଳ ତହସିଲଦାରଙ୍କୁ ମଧ୍ଯ ଦରଖାସ୍ତ ଦେଇଥିଲେ । ଉକ୍ତ ଜମିକୁ ଚିହ୍ନଟ ନକଲେ ସେଠାରେ ଗୃହ ନିର୍ମାଣ କରିବା ଅସମ୍ଭବ । ତେଣୁ ସେମାନେ ହିନ୍ଦୋଳ ଉପଜିଲ୍ଲାପାଳଙ୍କୁ ଗୁହାରି କରିବା ପାଇଁ ଯାଇଥିଲେ । ସେଠାରେ ଉପଜିଲ୍ଲାପାଳ ସମାଧାନ କରିବା ପରିବର୍ତେ ସେମାନଙ୍କୁ ଅପମାନିତ କରି କହିଲେ, ତୁମ୍ଭେମାନେ ଭଲ ଲୁଗାପଟା ପିନ୍ଧି ଆସିଛ, ତୁମ୍ଭେ ଭଲ ଘରର ସ୍ତ୍ରୀ ଲୋକ ଭଳି ଦେଖାଯାଉଛ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ଜାଗା ଚିହ୍ନଟ ପାଇଁ ତହସିଲଦାର ଓ ଉପଜିଲ୍ଲାପାଳ ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା କହିବାରେ ଉପଜିଲ୍ଲାପାଳ ଉତ୍କ୍ଷିପ୍ତ ହୋଇ ମହିଳାମାନଙ୍କୁ ବାହାର କରିଦେଲେ। ଏହାକୁ ନେଇ ଆଜି ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ମହିଳାମାନେ ଏକ ଅଭିଯୋଗ ପ୍ରଦାନ କରିଛନ୍ତି । ଏହି ଅଭିଯୋଗ ପ୍ରଦାନ ବେଳେ ସୁଜାତା ସାହୁ, ପ୍ରେମମୟୀ ପ୍ରଧାନ, ପମି ସାହୁ, ସବିତା ନାଏକ, ଝିଲ୍ଲି ସାହୁ, ଚିନ୍ମୟି ସାହୁ, ବିଜୟ ସାହୁ, ଶଶି ପ୍ରଧାନ, ବାସନ୍ତୀ ପ୍ରଧାନ, ଅନିତା ସାମଲ, ତରା ବିଶ୍ଵାଳ, ହାର ସାହୁ, ବିନତୀ ବାରିକ୍, ସରସତୀ ସାହୁ ଓ ପାର୍ବତୀ ସାହୁ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।



