ଵିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ୨୦୨୫ ଟାଇଟଲ ବିଜେତାକୁ ୩.୬ ନିୟୁତ ଆମେରିକୀୟ ଡଲାର ମିଳିବ, ଯାହାକି ଗତ ସଂସ୍କରଣ ତୁଳନାରେ ଦୁଇଗୁଣାରୁ ଅଧିକ । ୨୦୨୩ରେ ଭାରତ ବିପକ୍ଷ ଫାଇନାଲ ଜିତି ଅଷ୍ଟ୍ରେଲିଆ ୧.୬ ନିୟୁତ ଡଲାର ପାଇଥିଲା । ୨୦୨୫ ଫାଇନାଲ ଜୁନ୍ ୧୧ରେ ଲଡର୍ସଠାରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ।
ଏଥର ପରାଜିତ ଦଳ ୨.୧ ନିୟୁତ ଆମେରିକୀୟ ଡଲାର ପୁରସ୍କାର ପାଇବ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଏହି ଇଭେଣ୍ଟର ଗତ ଦୁଇ ସଂସ୍କରଣର ରନରଅପ୍ ୮୦୦,୦୦୦ ଡଲାର ଲେଖାଏ ପାଇଥିଲେ । ଡବ୍ଲ୍ୟୁଟିସି ସାଇକେଲରେ ୯ଟି ଦଳକୁ ନେଇ ଅନୁଷ୍ଠିତ ପ୍ରତିଯୋଗିତାରେ ଶ୍ରୀଲଙ୍କା ଓ ପାକିସ୍ତାନ ବିପକ୍ଷ ହୋମ୍ ସିରିଜ ଜିତିବା ପରେ ଦକ୍ଷିଣ ଆଫ୍ରିକା ୬୯.୪୪ ପଏଣ୍ଟ ସହ ଟେବୁଲ ଶୀର୍ଷରେ ପହଞ୍ଚି ଯାଇଥିଲା । ଅଷ୍ଟ୍ରେଲିଆ ୬୭.୫୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଭାରତ ୫୦.୦୦ ପ୍ରତିଶତ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲା।ପ୍ୟାଟ୍ କୁମିନ୍ସଙ୍କ ନେତୃତ୍ୱାଧୀନ ୧୫ ଜଣିଆ ଅଷ୍ଟ୍ରେଲିଆ ଦଳରେ ବିସ୍ଫୋରକ ଓପ୍ନର ସାମ୍ କନଷ୍ଟାସ୍ ଓ ଆହତ ସମସ୍ୟାରୁ ଫେରିଥିବା ଅଲ୍ରାଉଣ୍ଡର କାମରନ ଗ୍ରୀନ୍ ସ୍ଥାନ ପାଇଛନ୍ତି ।ଏହାଛଡ଼ା ଗତ ଶ୍ରୀଲଙ୍କା ବିପକ୍ଷ ସିରିଜ୍ରେ ଖେଳିଥିବା ପ୍ରାୟ ଖେଳାଳି ସ୍ଥାନ ବଜାୟ ରଖିଛନ୍ତି । ଗ୍ରୀନ୍ ବ୍ୟାକ୍ ଇଞ୍ଜୁରିରୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଗତବର୍ଷ ଏଥିଲାଗି ତାଙ୍କୁ ସର୍ଜରୀର ସମ୍ମୁଖୀନ ହେବାକୁ ପଡ଼ିଥିଲା । ସ୍ପିନର ମ୍ୟାଟ କୁହ୍ନେମ୍ୟାନଙ୍କୁ ରେଗୁଲାର ସ୍ପିନର ନାଥନ ଲାୟନଙ୍କ ବ୍ୟାକଅପ ଭାବେ ଏବଂ ବ୍ରେଣ୍ଡନ ଡଗେଟଙ୍କୁ ଟ୍ରାଭେଲିଂ ରିଜର୍ଭ ଭାବେ ଦଳରେ ସାମିଲ କରାଯାଇଛି।ଦକ୍ଷିଣ ଆଫ୍ରିକା ଦଳରେ ଲୁଙ୍ଗି ଏନ୍ଗିଡି, କାଗିସୋ ରାବାଡା ଓ ଅଲରାଉଣ୍ଡର କର୍ବିନ ବୋଶ୍ଚ ସ୍ଥାନ ପାଇଛନ୍ତି । ଦକ୍ଷିଣ ଦଳ ଡବ୍ଲ୍ୟୁଟିସି ଫାଇନାଲ ପୂର୍ବରୁ ଜୁନ ୩ରୁ ୬ ପର୍ଯ୍ୟନ୍ତ ଜିମ୍ବାଓ୍ବେ ବିପକ୍ଷରେ ଏକ ଓ୍ବାର୍ମଅପ ମ୍ୟାଚ୍ ଖେଳିବ। ହେଲେ ଆଇପିଏଲରେ ଭାଗ ନେବାକୁ ଯାଉଥିବା ୮ ଖେଳାଳି ଯଥା ଏନ୍ଗିଡି, ବୋଶ୍ଚ, ରାବାଡା, ମାର୍କୋ ଜାନସେନ, ଏଡେନ ମାରକ୍ରାମ, ଓ୍ବିଆନ ମୁଲ୍ଡର, ଟ୍ରିଷ୍ଟାନ ଷ୍ଟବ୍ସ ଓ ରିୟାନ ରିକଲଟନ ଏଥିଲାଗି ଉପଲବ୍ଧ ରହିବେ ନାହିଁ ।ଅଷ୍ଟ୍ରେଲିଆ ଦଳ: ପ୍ୟାଟ କୁମିନ୍ସ (ଅଧିନାୟକ), ସ୍କଟ ବୋଲାଣ୍ଡ, ଆଲେକ୍ସ କ୍ୟାରି, କ୍ୟାମରନ ଗ୍ରୀନ, ଜୋଶ ହାଜେଲଉଡ, ଟ୍ରାଭିସ ହେଡ୍, ଜୋଶ ଇଙ୍ଗଲିସ, ଉସ୍ମାନ ଖ୍ବାଜା, ସାମ କନଷ୍ଟାସ, ମ୍ୟାଟ କୁହ୍ନେମ୍ୟାନ, ମାର୍ନସ ଲାବୁସେନ, ନାଥନ ଲାୟନ, ଷ୍ଟିଭ ସ୍ମିଥ୍, ମିଚେଲ ଷ୍ଟାର୍କ, ବେଉ ଓ୍ବେବଷ୍ଟର । ଟ୍ରାଭେଲିଂ ରିଜର୍ଭ: ବ୍ରେଣ୍ଡନ ଡଗେଟ ।ଦକ୍ଷିଣ ଆଫ୍ରିକା ଦଳ: ଟେମ୍ବା ବଭୁମା (ଅଧିନାୟକ), ଡେଭିଡ ବେଡିଂହାମ, କର୍ବିନ ବୋଶ୍ଚ, ଟୋନି ଡି ଜର୍ଜି, ମାର୍କୋ ଜାନସେନ, କେଶଭ ମହାରାଜ, ଏଡେନ ମାରକ୍ରାମ, ଓ୍ବିଆନ ମୁଲ୍ଡର, ସେନୁରାନ ମୁଥୁସାମୀ, ଲୁଙ୍ଗି ଏନ୍ଗିଡି, ଡେନ ପାଟରସନ, କାଗିସୋ ରାବାଡା, ରିୟାନ ରିକଲଟନ, ଟ୍ରିଷ୍ଟାନ ଷ୍ଟବ୍ସ, କାଇଲ ଭେରେନେ।



