ଭୂବନେଶ୍ୱର: ସରକାରୀ ଚାକିରି ପାଇଁ ଆବେଦନ କରିବାର ବୟସ ସୀମା ୩୨ ନୁହେଁ ଏଣିକି ୪୨ । ମୋହନ ସରକାରଙ୍କ କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛି । ଯାହା ଚାକିରି ଆଶାୟୀଙ୍କ ପାଇଁ ଗୋଟିଏ ବଡ଼ ସୁଯୋଗ ସୃଷ୍ଟି କରିଛି । ବୁଧବାର ସରକାରୀ ଚାକିରିରେ ପ୍ରବେଶ ପାଇଁ ବୟସ ସୀମା ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି କରିବା ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
ମୁଖ୍ୟ ସଚିବ ମନୋଜ ଆହୁଜା ମନ୍ତ୍ରୀମଣ୍ଡଳ ବୈଠକ ପରେ କହିଛନ୍ତି, ବୟସ ସୀମା ଅତିକ୍ରମ କରିଥିବା ପ୍ରାର୍ଥୀମାନଙ୍କୁ ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ଅଂଶଗ୍ରହଣ କରିବାରେ ପ୍ରଚୁର ସୁଯୋଗ ଦେବା ପାଇଁ ସରକାର ବୟସ ସୀମା ୩୨ରୁ ୪୨ ବର୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।ସରକାରୀ ଚାକିରିରେ ପ୍ରବେଶ ପାଇଁ ବୟସ ସୀମା ଓଡ଼ିଶା ସିଭିଲ ସର୍ଭିସ (ଉଚ୍ଚ ବୟସ ସୀମା ନିର୍ଦ୍ଧାରଣ) ନିୟମ, ୧୯୮୯ ଅନୁଯାୟୀ ନିୟନ୍ତ୍ରିତ ହୁଏ । ଏହି ନିୟମର ଧାରା ୨ ଅନୁସାରେ, ସରକାରୀ ଚାକିରିରେ ପ୍ରବେଶ ପାଇଁ ବୟସ ସୀମା ୩୨ ବର୍ଷ ଥିଲା ।ବିଭିନ୍ନ ମହଲରୁ ଅନେକ ଆବେଦନ ପ୍ରାପ୍ତ ହୋଇଛି, ଯେଉଁଥିରେ ଆଗାମୀ ନିଯୁକ୍ତି ପ୍ରକ୍ରିୟାରେ ବୟସ ସୀମା ଅତିକ୍ରମ କରିଥିବା ପ୍ରାର୍ଥୀମାନଙ୍କୁ ଅଂଶଗ୍ରହଣ କରାଇବା ପାଇଁ ଉଚ୍ଚ ବୟସ ସୀମା ବୃଦ୍ଧି କରିବାକୁ ଅନୁରୋଧ କରାଯାଇଛି ।ମୁଖ୍ୟ ସଚିବ କହିଛନ୍ତି, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ, ମହିଳା, ପୂର୍ବତନ ସୈନିକ ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀମାନଙ୍କ ପାଇଁ ଏହି ବୟସ ସୀମାରେ ଆହୁରି ଛାଡ଼ ଦିଆଯିବ ।ତେବେ, ଯେଉଁ ଚାକିରି ପାଇଁ ସରକାର ପୂର୍ବରୁ ଉଚ୍ଚତର ବୟସ ସୀମା ନିର୍ଦ୍ଧାରଣ କରିଛନ୍ତି, ସେହି ଚାକିରି ପାଇଁ ଏହି ବୟସ ସୀମା ବୃଦ୍ଧି ପ୍ରଯୁଜ୍ୟ ହେବ ନାହିଁ । ସେହିପରି, ପୋଲିସ, ଅଗ୍ନିଶମ ସେବା, ବନ ଓ ଆବକାରୀ ସେବା ଆଦି ସଶସ୍ତ୍ର ସେବା ପାଇଁ ମଧ୍ୟ ଏହି ବୟସ ସୀମା ବୃଦ୍ଧି ଲାଗୁ ହେବ ନାହିଁ ।ରାଜ୍ୟରେ ଏବେ ବି ଅନେକ ପଦ ଖାଲି ପଡିଥିବା ବେଳେ ଦକ୍ଷ ତଥା କୁଶଳୀ ଲୋକଙ୍କର ଆବଶ୍ୟକତା ରହିଛି ବୋଲି କୁହାଯାଏ । ଆଉ ଏବେ ସରକାରଙ୍କ ଏହି ନିଷ୍ପତ୍ତି ଏ ଖାଲି ଥିବା ପଦ ଦିଗରେ ସହାୟକ ହେବ ବୋଲି କୁହାଯାଉଛି ।



