ତାଳଚେର, ୩୦/୦୫ ଶିଳ୍ପନଗରୀ କଳାହୀରା ସହର ତାଳଚେର ରାଜ୍ୟରେ ଏକ ନିଜସ୍ୱ ପରିଚୟ ସୃଷ୍ଟିି କରିପାରିଛି । ଖଣିଖାଦାନ, ଶିଳ୍ପ ଓ ପର୍ଯ୍ୟଟନ ସବୁଥିରେ ନିଜର ପାରଦର୍ଶିତା ଲାଭ କରିପାରିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲୋକ ପରିବାର ଚଳାଇବା ପାଇଁ ତାଳଚେର ସହରକୁ ଆସିଥାନ୍ତି । ଖଣିଖାଦାନ ଥିବା ବେଳେ ଦେଶର ବିଭିନ୍ନ ସ୍ଥାନକୁ ଏଠାରୁ ଖଣିଜ ପଦାର୍ଥ ମଧ୍ୟ ରପ୍ତାନୀ ହୋଇଥାଏ । ହେଲେ ଯୋଗାଯୋଗ ମୁଖ୍ୟ ଆଧାର ପାଲଟିଥିବା ତାଳଚେର ବସଷ୍ଟାଣ୍ଡର ବ୍ୟବସ୍ଥା ରୂପ ଦେଖିଲେ ମନେ ହୁଏ, ବିକାଶରୁ ବହୁ ଦୂରରେ ତାଳଚେର ରାଣୀପାର୍କ ବସଷ୍ଟାଣ୍ଡ! ରାଜ୍ୟ ଓ କେନ୍ଦ୍ରକୁ ସର୍ବାଧିକ ରାଜସ୍ୱ ଦେଉଥିବା ତାଳଚେର ଆଜି ତାର ମୌଳିକ ଅଧିକାରରୁ ବଂଚିତ । ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଦିଗରୁ ଦେଖିବାକୁ ଗଲେ ଆଖପାଖ ଅଂଚଳରୁ ଏଠାକୁ ଗମନା ଗମନ ଉପରେ ନିର୍ଭର କରୁଥିବା ରୋଜଗାର ପନ୍ଥାର ଏହି ବାଟ ଏତେ ସହଜ ହୋଇ ପାରୁନି । ହେଲେ ଗମନାଗମନର ପ୍ରମୁଖ ମାର୍ଗଭାବେ ରାଣୀପାର୍କ ବସଷ୍ଟାଣ୍ଡର ବ୍ୟବସ୍ଥା ସେତେଟା ଆଖିଦୃଶିଆ ସମସ୍ୟାର ସମାଧାନ ହୋଇ ପାରିନି । ତାଳଚେର ସହରବାସୀଙ୍କ ପାଇଁ ଓ ବାହାର ଲୋକଙ୍କ ପାଇଁ ଏହି ବସଷ୍ଟାଣ୍ଡଟିର ଉନ୍ନତି ହୋଇ ପାରୁନଥିବା ଏକ ଦୁର୍ଭାଗ୍ୟ ଜନକ ବିଷୟ ହୋଇ ପଡ଼ିଛି ବୋଲି ବୁଦ୍ଧିଜୀବୀ ମାନେ ମତପ୍ରକାଶ କରୁଛନ୍ତି । ଏବଂ ଏହି ରାଣୀପାର୍କ ବସଷ୍ଟାଣ୍ଡ ଆସିବାକୁ ହେଲେ ବହୁ ବାଧାବିଘ୍ନ ଯାତ୍ରୀମାନଙ୍କୁ ସହ୍ୟ କରିବାକୁ ପଡ଼ୁଛି । ବସଷ୍ଟାଣ୍ଡ ସମ୍ମୁଖରେ ଥିବା ଜାତୀୟ ରାଜପଥ ଉପରେ ଶହଶହ ସଂଖ୍ୟକ କୋଇଲା ବୋଝେଇ ଟ୍ରକ, ଲମ୍ବା ଲାଇନ୍, ଟ୍ରାଫିକ ସମସ୍ୟା, ଧୂଳି, ଧୂଆଁ, କୋଇଲା ଗୁଣ୍ଡରେ ଲୋକେ ଅତିଷ୍ଠ, ଯିବେ କୁଆଡ଼େ, ବାସ୍ ସେଇ ଗୋଟିଏ ଉପାୟ, ଗୋଟିଏ ବିକଳ୍ପ! ଚର୍ତୁଦିଗରୁ ରାଣୀପାର୍କ ବସଷ୍ଟାଣ୍ଡକୁ ସଂଯୋଗ କରୁଛି ଏକ ମାତ୍ର ତାଳଚେର ସହରର ଜାତୀୟ ରାଜପଥ । ତାଳଚେରବାସୀ ଓ ତାଳଚେରକୁ ଆସୁଥିବା ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଯାତ୍ରୀ ଏବଂ ଅଂଚଳବାସୀ ଯେମିତି ଭୋଗ କରୁଛନ୍ତି ଯମଯନ୍ତ୍ରଣା ଏଥିରୁ କେବେ ମିଳିବ ନିସ୍ତାର ସେନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ନିର୍ବାଚିତ ଲୋକପ୍ରତିନିଧି ନା ସ୍ଥାନୀୟ ପ୍ରଶାସନ ନା ଜିଲ୍ଳା ପ୍ରଶାସନ କେହି ହେଲେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେଉ ନାହାନ୍ତି ବୋଲି ପ୍ରାୟ ସମୟରେ ଶୁଣିବାକୁ ମିଳେ । ଏତେଶୟ ରାଜସ୍ୱ ପ୍ରଦାନ କରୁଥିଲେ ମଧ୍ୟ ତାଳଚେର ଏକ ଅଭିଶପ୍ତ ଅବସ୍ଥାରେ ଗତି କରୁଛି ବୋଲି ଲୋକେ ମତ ରଖୁଛନ୍ତି । ରାଣୀପାର୍କ ବସଷ୍ଟାଣ୍ଡକୁ ସମୟରେ ନପଂହଚି ପାରିଲେ କିମ୍ବା କୌଣିସି ସମସ୍ୟାରୁ ଗାଡ଼ି ନମିଳିଲେ ଯିବା ସମ୍ଭବପର ହୋଇନଥାଏ । ଜାତୀୟ ରାଜପଥର ପ୍ରତ୍ୟେକ ସମୟରେ ଜାମ ରହୁଥିବାରୁ ଲୋକେ ତାଳଚେରରୁ ଢ଼େଙ୍କାନାଳ, କଟକ, ଭୂବନେଶ୍ୱର, ପୁରୀ, ଝାରସୁଗୁଡ଼ା, କେନ୍ଦୁଝର, ରାଉକେଲା ଏମିତିକି ଆଖପାଖ ଅଂଚଳକୁ ଯିବା ଆସିବା ନିମନ୍ତେ ବହୁବାର ହଇରାଣ ହରକତ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ତାଳଚେର ବସଷ୍ଟାଣ୍ଡକୁ ଯାତ୍ରୀମାନେ ଆସିବାକୁ ଯେଉଁ ଜାତୀୟ ରାଜପଥଟି ପଡ଼ିଛି ତାହା ସବୁ ସମୟରେ ଭାରୀଯାନ ଚଳାଚଳ, ଟ୍ରାପିକ ସମସ୍ୟା ଏବଂ ଅନେକ ସମୟରେ ଦୁର୍ଘଟଣା ଗ୍ରସ୍ତ ହେଉଥିବା ଯୋଗୁଁ ସଠିକ୍ ସମୟରେ ପଂହଚିବା ସମ୍ଭବପର ହେଉ ନାହିଁ । ଭିନ୍ନକ୍ଷମ ଓ ବରିଷ୍ଠ ନାଗରୀକ ଯାତାୟତ ପାଇଁ ଯଥେଷ୍ଟ ସୁବିଧା ହୋଇନି । ଯାହାକି ବରିଷ୍ଟନାଗରୀକ, ରୋଗୀ ଓ ଭିନ୍ନକ୍ଷମ ମାନେ ବହୁ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଅପରପକ୍ଷେ ଯାତ୍ରୀମାନେ ବସକୁ ଅପେକ୍ଷା କରି ରହୁଥିବା ବେଳେ ସେମାନଙ୍କ ପାଇଁ ବିଶ୍ରାମ କକ୍ଷ କିିମ୍ବା ଚେୟାର ନଥିବାରୁ ସେମାନେ ଏଣେତେଣେ ଘୂରୀ ବୁଲୁଛନ୍ତି ଏବଂ ବସଷ୍ଟାଣ୍ଡରେ ଯେଉଁ କେତୋଟି ପିଣ୍ଡି ନିର୍ମିତ ହୋଇଛି ତାହା ଯାତ୍ରୀଙ୍କ ତୁଳନାରେ ବହୁତ କମ ଓ ବିଶେଷ କଥା ହେଉଛି ପ୍ରାୟ ସମୟରେ ଯାତ୍ରୀମାନଙ୍କର ମନିପର୍ସ, ମୋବାଇଲ, ଟଙ୍କା ମଧ୍ୟ ଚୋରି ହେଉଥିବା ଅନେକ ସମୟରେ ଅଭିଯୋଗ ହୋଇ ଆସୁଛି । ବସଷ୍ଟାଣ୍ଡରେ ନିର୍ମାଣ କରାଯାଇଥିବା ନୂତନ ଶୌଚାଳର ରକ୍ଷଣାବେକ୍ଷଣା ଅଭାବରୁ ସେଗୁଡ଼ିକ ଅପରିଷ୍କା ଅବସ୍ଥାରେ ପଡ଼ି ରହିଛି । ପରିଶ୍ରା କରି ଯିବାକୁ ମହିଳା ଯାତ୍ରୀମାନେ ହଇରାଣ ହରକତ ହେଉଥିବା ମଧ୍ୟ ନଜିର ରହିଛି । ଅନୁଗୋଳ ସହରର ନୂତନ ବସଷ୍ଟାଣ୍ଡ ଏତେ ସରସ ସୁନ୍ଦର ଭାବେ ନିର୍ମାଣ କରାଯାଇଥିବା ବେଳେ ତାଳଚେର ପ୍ରତି ଏତେ ବୈମାତୃକ ମନୋଭାବ ଅଂଚଳବାସୀଙ୍କ ମନକୁ କ୍ଷୁବ୍ଧ କରିଛି । ତେଣୁ ତାଳଚେର ରାଣୀପାର୍କ ବସଷ୍ଟାଣ୍ଡର ବିକାଶ ଦିଗରେ ବର୍ତମାନର ସରକାର ଦୃଷ୍ଟି ଦେଇ ଏସବୁ ସମସ୍ୟାର କେମିତି ସମାଧାନ କରାଯାଇ ଯାତ୍ରୀଙ୍କ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା କରାଯିବାକୁ ବିଭିନ୍ନ ମହଲରେ ଦାବି ହେବା ସହ ତାଳଚେର ଅଂଚଳବାସୀ ମଧ୍ୟ ଏହାକୁ ନେଇ ଅନେକାଂଶରେ ମତ ପୋଷଣ କରୁଛନ୍ତି ଏବଂ ରାଣୀପାର୍କ ବସଷ୍ଟାଣ୍ଡ ବିକାଶ ଦିଗରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଦୃଷ୍ଟି ପଡ଼ୁନି କାହାର!



