ଅଘୋଷିତ ବିଦ୍ୟୁତ୍ କାଟରେ ଲାଗୁନି ରୋକ୍ : ଜନ ଅସନ୍ତୋଷ ଟିପିସିଓଡ଼ିଏଲର ମନମାନି, କେବଳ ବିଲ କଲେକସନରେ ବ୍ୟସ୍ତ
ତାଳଚେର, ୨୪/୦୭ କୋଇଲା ନଗରୀ ତାଳଚେରରେ ଏବେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ସାଙ୍ଗକୁ ଘନଘନ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ ଜୀବନକୁ ଦୁର୍ବିସହ କରୁଥିବାର ଅଭିଯୋଗ ହେଉଛି । ତୁହାକୁ ତୁହା ଅଘୋଷିତ ବିଦ୍ୟୁତ କାଟ ଏବେ ତାଳଚେର ବାସୀଙ୍କ ପାଇଁ ଏକ ସାଧାରଣ କଥା ପାଲଟି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଦିନ କାଳ ସମୟ ନ ଦେଖି ଘଂଟା ଘଂଟା କାଳ ମଧ୍ୟ ବିଜୁଳି ଚାଲି ଯାଉଛି, କିନ୍ତୁ କଣ ପାଇଁ ବିଦ୍ୟୁତ କାଟ ହେଉଛି,ତାହାର କୌଣସି ସନ୍ତୋଷଜନକ ଉତର ବିଭାଗୀୟ କର୍ତ୍ତୃପକ୍ଷ ଦେଉନାହାନ୍ତି । ତାଳଚେର ପ୍ରଶାସନର ଢିଲା ମନୋଭାବ,ଲୋକ ପ୍ରତିନିଧି ମାନଙ୍କର ଆଶ୍ଚର୍ୟ୍ୟଜନକ ନୀରବତା ସହ ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷ ମଧ୍ୟ ବିଜୁଳି କାଟ ବିରୋଧରେ ସ୍ୱର ଉତୋଳନ କରିବାକୁ ପଛ ଘୁଂଚା ଦେଉଥିବାରୁ ଉକ୍ତ ସମସ୍ୟାର ସମାଧାନ ହେଉ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ଅଞ୍ଚଳ ବାସୀଙ୍କୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ଚୁକ୍ତି କରିଥିବା ଟିପିସିଓଡିଏଲ ସ୍ଥାନୀୟ ଅଂଚଳରେ ଉପଯୁକ୍ତ ବିଦ୍ୟୁତ ସେବା ଯୋଗାଇ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବାର ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି । କୈାଣସି ବର୍ଷା,ପବନ ଅବା ପ୍ରତିକୂଳ ପାଗ ନଥାଇ ମଧ୍ୟ ସବୁବେଳେ ବିଜୁଳି କାଟ୍ ର ଭିତରି ରହସ୍ୟ କିଛି ରହିଛି ବୋଲି ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରକାଶ ଥାଉକି, ତାଳଚେର ଉପଖଣ୍ଡରେ ଏନ୍.ଟି.ପି.ସି.ର ତାପଜ ବିଦ୍ୟୁତ କେନ୍ଦ୍ର ରହିଥିବା ବେଳେ,ରେଙ୍ଗାଳୀ ଠାରେ ମଧ୍ୟ ଜଳ ବିଦ୍ୟୁତ କେନ୍ଦ୍ର ସ୍ଥାପନ କରାଯାଇଛି । ଯଦ୍ୱାରା ତାଳଚେର ଅଂଚଳ ସବୁବେଳେ ଆଲୋକିତ ରହିବା କଥା, ଦୀପ ତଳ ଅନ୍ଧାର ଭଳି ବିଜୁଳି ଉତ୍ପାଦନ କରୁଥିବା ତାଳଚେର ଅଞ୍ଚଳ ଏବେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ। କୈାଣସି ଉପଭୋକ୍ତା ବିଜୁଳି କାଟ ସମ୍ପର୍କରେ କାରଣ ଜାଣିବାକୁ ଚାହିଁଲେ, ମଧ୍ୟ ସଂପୃକ୍ତ ବିଭାଗ ପକ୍ଷରୁ କୌଣସି ସନ୍ତୋଷଜନକ ଉତର ମିଳି ପାରୁନାହିଁ କିମ୍ବା ଆଦୈା ଉତର ମିଳୁନାହିଁ । ତେବେ ତାଳଚେର ଟାଉନ୍ ୨ (ଫିଡର ବକ୍ସ)ରୁ ରେମୁଆଁ ଅଞ୍ଚଳକୁ ହେଉଥିବା ବିଦ୍ୟୁତ ଯୋଗାଣରେ ବାରମ୍ବାର ବିଭ୍ରାଟ ପ୍ରସଙ୍ଗରେ ୧୨ ନଂ ୱାର୍ଡ଼ର କିଶୋର ରଥ ନାମକ ଜଣେ ଉପଭୋକ୍ତା ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ପରେ, କର୍ତ୍ତୃପକ୍ଷ କହୁଛନ୍ତି ଯେ, ଉପରୁ ନିର୍ଦ୍ଦେଶ ଅଛି କୌଣସି ବିଦ୍ୟୁତ ସଂଯୋଗ କରିବା ଅବା ମରାମତି ବେଳେ ସମଗ୍ର ଅଞ୍ଚଳର ଲାଇନ୍ କାଟିବାକୁ ପଡ଼ିଥାଏ । ତେବେ ବିଦ୍ୟୁତ ବିଭାଗ କାହିଁକି ଆବଶ୍ୟକୀୟ ସରଞ୍ଜାମ ପ୍ରସ୍ତୁତ କରୁନାହାନ୍ତି, ଯଦ୍ୱାରା ସମଗ୍ର ଅଞ୍ଚଳ ପରିବର୍ତ୍ତେ କେବଳ ନିର୍ଦ୍ଦିଷ୍ଟ ଅଂଚଳର ବିଦ୍ୟୁତ କଟାଯିବ, ଏବଂ ତାହା ମଧ୍ୟ ପୂର୍ବ ସୂଚନା ଦିଆଯାଇ କଟା ଯିବା ଦରକାର । ଏନେଇ ବହୁ ତାଳଚେରବାସୀ ସୋସିଆଲ ମିଡ଼ିଆରେ ନିଜର କ୍ଷୋଭ ପ୍ରକାଶ କରୁଥିବାର ଲକ୍ଷ୍ୟ ମଧ୍ୟ କରାଯାଇଛି । ସାଧାରଣ ଉପଭୋକ୍ତା ବିଦ୍ୟୁତ ଶୁଳ୍କ ଦେବା ସତ୍ତ୍ୱେ ବି ଠିକ୍ ଭାବେ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏନେଇ ବାରମ୍ବାର କହିବା ସତ୍ୱେ ଧ୍ୟାନ ଦିଆ ଯାଉନାହିଁ । ଯାହାକୁ ନେଇ ଘୋର ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି । ଏଣୁ ଆଗାମୀ ଦିନରେ ତାଳଚେର ବାସୀ ଯେପରି ଉପଯୁକ୍ତ ବିଦ୍ୟୁତ ସେବା ପାଇ ପାରିବେ ଏବଂ ବାରମ୍ବାର ବିଜୁଳି କାଟ୍ ର ଯେପରି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯିବ ସେ ନେଇ ଉପଖଣ୍ଡ ପ୍ରଶାସନ ସଂପୃକ୍ତ ବିଭାଗର ଉଚ୍ଚ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ସାଧାରଣରେ ଦାବୀ ହେଉଛି ।



