ଶ୍ରୀ ଶନିଦେବଙ୍କ ଜନ୍ମୋତ୍ସବ ପାଳନ ସମ୍ପନ୍ନ
ଭଟଲି (ଅଭିମନ୍ୟୁ ପଧାନ):- ଭଟଲି ବ୍ଲକ ଅନ୍ତର୍ଗତ କୁସନପୁରୀ ବିଜୟା ଛକ ସ୍ଥିତ ଶ୍ରୀ ଶନିଶ୍ଚର ମନ୍ଦିରେ ଶନିବାର ୧୬ ତାରିଖ ଠାରୁ ୧୮ ତାରିଖ ସୋମବାର ପର୍ଯ୍ୟନ୍ତ ତିନି ଦିନ ଧରି ଶନିଦେବଙ୍କ ଜନ୍ମୋତ୍ସବ ବହୁଆଡମ୍ବରରେ ପାଳନ ହୋଇଯାଇଅଛି । ପ୍ରଥମ ଦିନ ଏକ ବିଶାଳ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିବା ସହ ନିକଟସ୍ଥ ଚକ୍ରବନ୍ଧ ପୋଖରୀକୁ ଯାଇ ପୂଜାପୂର୍ବକ କଳସ ଜଳ ଆଣି ମଣ୍ଡପରେ ସ୍ଥାପନ କରିଥିଲେ ଏବଂ ନବଗ୍ରହଙ୍କ ସହିତ ଅଧିଦେବତା, ପ୍ରତ୍ୟଧିଦେବତା ତଥା ଶନିଦେବଙ୍କର ଷୋଡଶୋପଚାର ପୂଜା କରାଯାଇଥିଲା । ସେହିପରି ରବିବାର ଓ ସୋମବାର ଦିନ ପୂର୍ବବତ୍ ପୂଜାର୍ଚ୍ଚନା ପରେ ପୂର୍ଣ୍ଣାହୁତି, ଆଳତୀ, ପୁଷ୍ପାଞ୍ଜଳୀ କରି ପୂଜା ସମାପନ କରାଯାଇଥିଲା । ମୁଖ୍ୟ ପୂଜକ ଭାବରେ ପଣ୍ଡିତ ରୁପେଶ୍ୱର ମହାପାତ୍ର ଏବଂ ପଣ୍ଡିତ ବୁଲୁ ତ୍ରିପାଠୀ ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ । ଶ୍ରୀଯୁକ୍ତ କୀର୍ତ୍ତନ ମେହେର ଓ ତାଙ୍କ ସହଧର୍ମିଣୀ ଶ୍ରୀମତି ବବି ମେହେର କର୍ତ୍ତା ଭାବରେ ପୂଜାକାର୍ଯ୍ୟ ତୁଳାଇଥିଲେ । ଏହି କାର୍ଯ୍ୟକ୍ରମରେ ଭୀମସେନ ମେହେର, ଝାରୁ ମେହେର, ପ୍ରହଲ୍ଲାଦ ମେହେର,ପ୍ରଦୀପ ମେହେର, କୈଳାଶ ମେହେର ଓ ଲବ ମେହେର ସମେତ ମନ୍ଦିର ପରିଚାଳନା କମିଟିର ଅନ୍ୟାନ୍ୟ ସଦସ୍ୟମାନେ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ପ୍ରତ୍ୟହ ସଂଧ୍ୟାରେ ବିଭିନ୍ନ ଗ୍ରାମର କୀର୍ତ୍ତନ ଧାରା ଏବଂ ବୈଠକି କୀର୍ତ୍ତନ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା । ପ୍ରତିଦିନ ସମସ୍ତ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା ।



