ପିତଳ ଢାଳରେ ପିଟି ମୁଣ୍ଡ ଫଟାଇଥିବା ଅଙ୍ଗନଓ୍ବାଡି ଦିଦିଙ୍କ ନାମରେ ଏସ୍ପିଙ୍କୁ ନ୍ୟାୟ ପାଇଁ ଅଭିଯୋଗ କଲେ ମହିଳା
ଢେଙ୍କାନାଳ, ୨୭/୧୦: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ମାଳବିଡୋ ଗ୍ରାମର ପ୍ରତାପ ନାଏକଙ୍କ ଧର୍ମପତ୍ନୀ ସ୍ଥାନୀୟ ଅଙ୍ଗନବାଡି ଦିଦିଙ୍କ ନାମରେ ଜିଲ୍ଲା ଆରକ୍ଷୀ ଅଧୁକ୍ଷଙ୍କୁ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ପ୍ରକାଶ ଯେ, ଉକ୍ତ ଗ୍ରାମରେ ଅଙ୍ଗନଓ୍ବାଡି କେନ୍ଦ୍ରରେ ମମତା ବେହେରା ନାମକ ଜଣେ ମହିଳା ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ଅଛନ୍ତି । ଛୋଟ ପିଲାଙ୍କ ପାଇଁ ପ୍ରତ୍ୟେକ ମାସରେ ସରକାରଙ୍କ ତରଫରୁ ଛତୁଆ, ଅଣ୍ଡା ଓ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ମିଳେ । ସେହି ସବୁ ଜିନିଷକୁ ଅଙ୍ଗନଓ୍ବାଡି ଦିଦି ମନଇଛା ବଂଟନ କରନ୍ତି । ମନ ହେଲେ କାହାକୁ ଦିଅନ୍ତୁ, ନହେଲେ ନାଇଁ। ଏ ସଂପର୍କରେ ରିଶ୍ମିତା ନାଏକଙ୍କ ତାଙ୍କ ପୁତ୍ରକୁ ମିଳିନଥିବା ଛତୁଆ, ଅଣ୍ଡା ଓ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ବିଷୟରେ ଗତ ୨୩ ତାରିଖ ଦିନ ସକାଳ ୯ ଘଟିକା ସମୟରେ ପଚାରିଥିଲେ । ଉତରରେ ଅଙ୍ଗନଓ୍ବାଡି ଦିଦି କହିଲେ, ମୋ ଇଛା ମୁଁ କାହାକୁ ଦେବି, କାହାକୁ ଦେବିନି । ଏହାର ପ୍ରତିବାଦ କରିବାରୁ ଅଙ୍ଗନଓ୍ବାଡି ଦିଦି ଶ୍ରୀମତୀ ନାଏକଙ୍କ ମୁଣ୍ଡକୁ ଏକ ପିତଳ ଢାଳରେ ପିଟିବାରୁ ସେଠାରେ ସେ ଅଚେତ ଅବସ୍ଥାରେ ପଡିଗଲେ। ଫଳରେ ଆଖପାଖ ଅଂଚଳର ମହିଳାମାନେ ତାଙ୍କୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତି କଲେ। ପରେ ଏହି ଘଟଣାକୁ ନେଇ ଥାନାରେ କେଶ୍ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଙ୍ଗନବାଡି ଦିଦିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଏକ ଦୁଃଖର ବିଷୟ ବୋଲି ଶ୍ରୀମତୀ ନାଏକ କହିଛନ୍ତି । ଏହା ପରେ ଉକ୍ତ ଦିଦି ଶ୍ରୀମତୀ ନାଏକଙ୍କୁ ବିଭିନ୍ନ ଧମକ ଚମକ ଦେବା ସହିତ କୌଣସି ସରକାରୀ ସ୍ତରରେ ଅଭିଯୋଗ କିମ୍ବା ମିଥ୍ୟା କେଶ୍ ଦେଲେ ତୋତେ ଜୀବନରେ ମାରି ବ୍ରାହ୍ମଣୀ ନଦୀରେ ଭସାଇଦେବୁ ବୋଲି କହୁଛନ୍ତି । ଏହାକୁ ନେଇ ଅଦ୍ୟ ଶ୍ରୀମତୀ ନାଏକ ନ୍ୟାୟ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ପହଁଚି ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି ।



