ଶିଶୁ ଦିବସରେ ବିଦ୍ୟାଳୟ ପାଇଁ ଜମି ଦାନ

ଭଟଲି (ଅଭିମନ୍ୟୁ ପଧାନ):- ଭଟଲି ବ୍ଲକ ଅନ୍ତର୍ଗତ କାଶିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ବଦାନ୍ୟ ବ୍ୟକ୍ତିଙ୍କ ଜମି ଦାନ । ବିଦ୍ୟାଳୟମାନଙ୍କ ପାଇଁ ବହୁ ଲୋକ ମୁକ୍ତ ହସ୍ତରେ ବିଭିନ୍ନ ପ୍ରକାର ଦାନ କରିଥିବା ଦୃଷ୍ଟାନ୍ତ ରହିଛି । ସେହିପରି କାଶିପାଲି ଗ୍ରାମର ପ୍ରଦୀପ ପଧାନ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିମନ୍ତେ ଖେଳ ପଡିଆର ଅଭାବ ରହିଥିବା ଅନୁମାନ କରିଥିଲେ । ତେବେ ସେ ବିଦ୍ୟାଳୟ ପରିଚାଳନ କମିଟି ସହ କଥା ବାର୍ତ୍ତା ହୋଇ କିଛି ଜମି ବିଦ୍ୟାଳୟର ଉନ୍ନତି ସକାଶେ ଦାନ କରିବାକୁ ମନ ବଳାଇଥିଲେ । ଏହି ମର୍ମରେ ଶିଶୁ ଦିବସରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଜମି ଦାନ ଭଳି ଏକ ବଡ ଉପହାର ଦେଇଛନ୍ତି । ତେବେ ସରକାରୀ ନିୟମାନୁଯାୟୀ ଭଟଲି ତହସିଲ କାର୍ଯ୍ୟାଳୟରେ ଗ୍ରାମର ଜନ ସାଧାରଣ ତଥା ଭଟଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୃତା ସାହୁ ଏବଂ ତହସିଲଦାର ରାମକୃଷ୍ଣ ମିଶ୍ରଙ୍କ ସମ୍ମୁଖରେ ୧ ଏକଡ ୯ ଡିସମିଲ ଜମି ବିଦ୍ୟାଳୟ ନାଁ ରେ ପଞ୍ଜିକରଣ କରାଇଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦାମ ସେଟ,ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ,ଗ୍ରାମ୍ୟ ଶାନ୍ତି କମିଟିର ସଦସ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ ।



