କିଶୋରୀମାନଙ୍କ ପାଇଁ ଦକ୍ଷତା ବିକାଶ ତାଲିମ ଶିବିର
ଅନୁଗୋଳ,୧୮.୦୨ : ଆଜି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୁଲ୍ଯରେ ସମାଜ ମଙ୍ଗଳ ବୈଠକ ଗୃହରେ କିଶୋରୀମାନଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରୀ ଶଙ୍କର ବେହେରା, LDM ଶ୍ରୀ ଚୌଧୁରୀ ଦୀପକ ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନିରୂପମା ପାଣିପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାରୁ ମୋଟ ୭୨ ଜଣ କିଶୋରୀ ବାଳିକା ଏହି ଶିବିରରେ ଯୋଗଦେଇ କମ୍ପ୍ୟୁଟର ଶିକ୍ଷା ଓ ଦକ୍ଷତା ବିକାଶ ଶିକ୍ଷା ନିଯୁକ୍ତି ବିଷୟରେ ପ୍ରଶିକ୍ଷଣ ନେଇଥିଲେ। ଏହି କର୍ମଶାଳାରେ ଜିଲ୍ଲା ଦକ୍ଷତା ସଂଯୋଜକ ଶ୍ରୀ ବିଶ୍ୱଜିତ୍ ପଣ୍ଡା ଜିଲ୍ଲାରେ କୃତିତ୍ୱ ଅର୍ଜନ କରିଥିବା କିଶୋରୀମାନଙ୍କର ଉଦାହରଣ ଦେଇ ଦକ୍ଷତା ବିକାଶ ତାଲିମ ନୂତନ ବାଟ ଦେଖାଇବ ବୋଲି କହିଥିଲେ । ସେହିପରି ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ରୁନୁ ପ୍ରଧାନ ଆର୍ଥିକ କ୍ଷେତ୍ରରେ ସୁଦୃଢ଼ ହେବାକୁ ଉପସ୍ଥିତ କିଶୋରୀମାନଙ୍କୁ କହିଥିଲେ। ଏହି ଶିବିରକୁ ୟୁନିସେଫ ଜିଲ୍ଲା ସଂଯୋଜିକା ଶ୍ରୀମତୀ ସନ୍ଧ୍ୟାରାଣୀ ନାୟକ ସଂଯୋଜନା କରିଥିବା ବେଳେ ଜିଲ୍ଲା ମହିଳା ସଶକ୍ତିକରଣ (DHEW) ଅଧିକାରୀ ଶ୍ରୀ ବିଦ୍ୟାଧର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।



