
ଚାଇଲ୍ଡ ଲାଇନ ଓ ପୁଲିସ ସହାୟତାରେ ବନ୍ଦ ହେଲା ବାଲ୍ୟବିବାହ
ଜେ. ବି. ଏନ୍ (୧୧/୧୨ /୨୦୨୦)
ଦେବଗଡ଼ :ଦେବଗଡ଼ ଥାନା ଘୁରୁଡୁଖମଣ ଗ୍ରାମରେ ଚାଇଲ୍ଡଲାଇନ ଓ ପୁଲିସ ସହାୟତାରେ ଏକ ବାଲ୍ୟବିବାହ ବନ୍ଦ କରାଯାଇଛି। ଘୁରୁଡୁ ଖମଣ ଗ୍ରାମର ଯୋଗେଶ୍ୱର ପ୍ରଧାନଙ୍କ ଏକମାତ୍ର କନ୍ୟାର ବିବାହ ବାରକୋଟ ଥାନା ଜାମୁନାଳି ଗ୍ରାମର ରମେଶ ସାହୁଙ୍କ ପୁଅ ମଣ୍ଟୁ ସହ ଆଜି ହେବାର ଥିଲା। ବିବାହ ପାଇଁ କନ୍ୟାପକ୍ଷ ସମସ୍ତ ଆୟୋଜନ କରି ଭୋଜି ଭାତ ରନ୍ଧାରନ୍ଧି ଆରମ୍ଭ କରି ସାରିଥିଲେ। ତେବେ କନ୍ୟା ଜଣକ ନାବାଳିକା ବୋଲି କୌଣସି ସୂତ୍ରରୁ ସୂଚନା ପାଇ ଚାଇଲ୍ଡ ଲାଇନର କର୍ମକର୍ତ୍ତା ରମାକାନ୍ତ ସାହୁ ଦେବଗଡ ପୁଲିସ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ବିବାହକୁ ବେଆଇନ ଦର୍ଶାଇ ଥିଲେ।
ପୁଲିସ ଓ ଚାଇଲ୍ଡଲାଇନ କର୍ମକର୍ତ୍ତାଙ୍କୁ ଦେଖି କନ୍ୟାପକ୍ଷ ପରିବାର ଓ ଅନ୍ୟାନ୍ୟ ପଡୋଶୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ପାଟିତୁଣ୍ଡ ହୋଇଥିଲା। ତେବେ ବାରକୋଟ ସିଡିପିଓ ପ୍ରବୀଣା ମିଶ୍ର, ଦେବଗଡ଼ ଥାନାର ଏଏସଆଇ ଡ଼ିଲେଶ୍ୱର ପ୍ରଧାନ, ମହିଳା ସିଏସଆଇ ତରସିଲା ବାର୍ଲା ପ୍ରମୁଖ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଉଭୟ କନ୍ୟାପକ୍ଷ ଓ ବରପକ୍ଷ ପରିବାର ଲୋକଙ୍କ ସହମତିରେ ବିବାହକୁ ବନ୍ଦ କରାଯାଇଥିଲା।



