ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ରାଜକନିକା ସ୍ଥିତ ସରସ୍ଵତୀ ଦାମୋଦର ସାହିତ୍ୟ ସଂସଦର ସହଯୋଗରେ ଉତ୍କଳର ବରପୁତ୍ର ରାଜପଣ୍ଡିତ କବିରତ୍ନ ସରସ୍ଵତୀ ଦାମୋଦର ମିଶ୍ରଙ୍କର ୧୫୩ତମ ଜୟନ୍ତୀ ଉତ୍ସବ ତାଙ୍କର ଜନ୍ମପୀଠ ଗିରୀୟା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଶିକ୍ଷାବିତ୍ ଚିଦସ୍ଵର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନ ସଭାରେ ମୁଖ୍ୟ ଅତିଥିଭାବରେ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ତଥା ବିଶିଷ୍ଟ ଶିଶୁ ସାହିତିକ ଇଂ ଅଭୟ ସୂତାର ଏହି ଉତ୍ସବଟିକୁ ଉଦ୍ ଘାଟନ କରିବା ସହିତ ଏଥିରେ ଅତିଥି ଭାବରେ ଶିକ୍ଷାବିତ୍ ଖଗେଶ୍ଵର ପଢିହାରୀ ଯୋଗଦେଇ ଥିଲେ । ସଂସଦର ସ୍ଥାୟୀ ସଭାପତି ରୀତିକବି ଦୟାନିଧି ଦାଶଙ୍କ ଅଧ୍ଯକ୍ଷତାରେ ବରିଷ୍ଠ ଆଲୋଚକ ଭାବରେ ପ୍ରାବନ୍ଧିକ ଶରତ ଚନ୍ଦ୍ର ମହାପାତ୍ର, ସ୍ତମ୍ଭକାର ନିରଞ୍ଜନ ଶତପଥୀ, ପ୍ରଫେସର ଡ. ଗିରୀଶ ଚନ୍ଦ୍ର ସାହୁ ଯୋଗଦେଇ ଓଡ଼ିଆ ତଥା ସଂସ୍କୃତ ସାହିତ୍ୟକୁ କବି ଦାମୋଦରଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ କଥାକାର ଲକ୍ଷ୍ମୀଧର ନାୟକ ଆଦିସ୍ୟ ଙ୍କୁ ସରସ୍ଵତୀ ଦାମୋଦର ସାହିତ୍ୟ ସମ୍ମାନ, ପରିବେଶବିତ୍ ଗୋପୀନାଥ ଦାଶଙ୍କୁ ସରସ୍ଵତୀ ଦାମୋଦର ସେବା ସମ୍ମାନ, ଡାକ୍ତର ତାରକ ପ୍ରସନ୍ନ ତ୍ରିପାଠୀଙ୍କୁ ସରସ୍ଵତୀ ଦାମୋଦର କଳା ସମ୍ମାନ ତଥା କବିରତ୍ନ ଦାମୋଦରଙ୍କ ଉପରେ ଉଲ୍ଲେଖନୀୟ ଅବଦାନ ପାଇଁ ଯଥାକ୍ରମେ କବି ବ୍ରଜକିଶୋର ଦାଶ ଓ ଡ.ଅରୁଣ କୁମାର ପଣ୍ଡାଙ୍କୁ ସରସ୍ଵତୀ ଦାମୋଦର ପ୍ରତିଭା ସମ୍ମାନ ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଇଥିଲା । ଗୟାଧର ନାଥଙ୍କ ସଂପାଦିତ କବିରତ୍ନଙ୍କ ଜୀବନାଦର୍ଶ ସମ୍ବଳିତ ଏକ ରାଜ୍ୟସ୍ତରୀୟ କବିତା ସଂକଳନ ପ୍ରଣମ୍ୟ ହେ, ପ୍ରବାଦ ପୁରୁଷ, କବିରତ୍ନଙ୍କ ରଚିତ ପୁସ୍ତକ ଭାରତୀ ମହାପାତ୍ରଙ୍କ ପ୍ରକାଶିତ ସଙ୍ଗୀତ ସୁଧାନିଧି ଓ ପ୍ୟାରୀ ମୋହନ ସ୍ଵାଇଁଙ୍କ ପ୍ରକାଶିତ ଉପନ୍ୟାସ ପାଣିଫୋଟକା ତଥା କବି ଦୟାନିଧି ଦାଶଙ୍କ ରଚିତ ତଥା ଖଗେଶ୍ଵର ପଢିହାରୀଙ୍କ ପ୍ରକାଶିତ ଖଣ୍ଡକାବ୍ୟ ଶ୍ରୀଚୈତନ୍ୟ ଲୋକାର୍ପଣ କରାଯାଇଥିଲା । ସଭାର ପ୍ରାରମ୍ଭରେ ପଣ୍ଡିତ ହୃଷିକେଶ ପାଢୀ ବେଦପାଠ କରିବା ସହିତ ମଦନ ମୋହନ ଦାସ ସ୍ୱାଗତ ଭାଷଣ ପ୍ରସନ୍ନ ଧଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂପାଦକ ପ୍ୟାରୀମୋହନ ସ୍ୱାଇଁ ସଂପାଦକୀୟ ବିବରଣୀ ପାଠ କରିଥିଲେ ଓ କବି ତନ୍ମୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଉତ୍ସବଟିରେ ବିଭିନ୍ନ ଅଞ୍ଚଳରୁ ବହୁ ସାହିତ୍ୟିକ ଯୋଗ ଦେବା ସଙ୍ଗେସଙ୍ଗେ ପଚାଶରୁ ଉର୍ଦ୍ଧ୍ଵ କବି ପ୍ରକୃତି ଓ ପରିବେଶକୁ ନେଇ ସ୍ଵରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ବେଦଦ୍ୟୁତି ଦାଶ, ଦେବରାଜ ବେହେରା, ଜନ୍ମେଜୟ ମହାନ୍ତି,କୈଳାଶ ନାଥ ନାୟକ, ଓଁ ଶାଙ୍କରୀ ମିଶ୍ର, ସାଗରିକା ମହାପାତ୍ର, ସାୟଂଶ୍ରୀ ମିଶ୍ର ପ୍ରଭୃତି ପରିଚାଳନା କରିଥିଲେ ।



