ପ୍ରସିଦ୍ଧ ତାଳଚେର ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଅଗଷ୍ଟ ୨୭ ରେ ପୂଜା ଓ ୭ ତାରିଖ ଇନ୍ଦୁ ପୂର୍ଣ୍ଣିମାରେ ଭସାଣି: ଡିଜେକୁ ସମ୍ପୂର୍ଣ୍ଣ ନିଷିଦ୍ଧ ।।ଶାନ୍ତି ଶୃଙ୍ଖଳା ପୂଜାଓ ଭସାଣି ଉପରେ ଗୁରୁତ୍ଵାରୋପ

ତାଳଚେର,୭/୭: ତାଳଚେରର ଗଣପର୍ବ ପ୍ରସିଦ୍ଧ ଗଣେଶ ପୂଜାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟା ରେ ସ୍ଥାନୀୟ ଦେଉଳବେଡ଼ା ସ୍ଥିତ ଡି ସି ଆଇ ହଲ ଠାରେ ଅନୁଷ୍ଠିତ ହୋଇଛି। କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି ତଥା ଉପଜିଲ୍ଲାପାଳ ସମୀର କୁମାର ଜେନା (ଆଇଏ ଏସ )ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସର୍ବସମ୍ମତିକ୍ରମେ ନିଆଯାଇଥିବା ପ୍ରସ୍ତାବ ଗୁଡ଼ିକ ଗୃହୀତ ହୋଇଥିଲା। ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ଆସନ୍ତା ଅଗଷ୍ଟ ୨୭ ତାରିଖ ଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ୭ ତାରିଖ ଇନ୍ଦୁପୂର୍ଣ୍ଣିମା ତିଥିରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ।ଏବଂ ଚଳିତ ବର୍ଷ ଘୋଡ଼ାଶାଳ ଠାରୁ ହାଣ୍ଡିଧୂଆ ପର୍ଯ୍ୟନ୍ତ ପୂଜାମଣ୍ଡପ ଗୁଡ଼ିକୁ ଅଧିକ ଆକର୍ଷଣୀୟ ଓ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବାକୁ ସମସ୍ତ ପୂଜା କମିଟିର କର୍ମକର୍ତ୍ତାମାନଙ୍କୁ ଏହି ଅବସରରେ ଅନୁରୋଧ କରାଯାଇଥିଲା। ଏଥି ସହିତ ଏହି ବୈଠକରେ ଶବ୍ଦ ପ୍ରଦ୍ୟୁଷଣ ରୋକିବା ପାଇଁ ଡିଜେ ସାଉଣ୍ଡ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ସହରର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପୂଜା ସମୟରେ କରାଯିବ ବୋଲି ସୂଚନା ଦେଇଥିଲେ। ଭସାଣି ପୂର୍ବଦିନ ହେଉଥିବା ୩ଟନ ୫୦୦ କେଜିଲଡ଼ୁ କୁ ଚଳିତ ବର୍ଷ ଆହୁରି ଆକର୍ଷିତ କରିବା ପାଇଁ ଆଉ ଅଧିକ ଓଜନ ବିଶିଷ୍ଟ ଲଡୁ ତିଆରି କରାଯାଇ ନିଲାମ କରିବାକୁ ପ୍ରସ୍ତାବ ଆଗତ କରା ଯାଇଥିଲା । ଆଜି ଏହି ବୈଠକ ରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତଥା କେନ୍ଦ୍ରୀୟ ପୂଜା କମିଟିର କାର୍ଯ୍ୟକାରୀ ସଭାପତି ଭରତଚନ୍ଦ୍ର ସାହୁ ତାଳଚେର ରେ ଅନୁପସ୍ଥିତ ଥିବା କାରଣ ରୁ ଏଠାରେ ଦାୟିତ୍ବରେ ଥିବା ତାଳଚେର ଟାଉନ ଆଇ ଆଇ ସି ଦିଗବିଜୟ ବିଶ୍ଵାଳ ଓ କୋଲିୟରି ଥାନା ଅଧିକାରୀ ହରିକୃଷ୍ଣ ପ୍ରଧାନ ,ପୁର୍ବ ବର୍ଷ ଭଳି ଟ୍ରାଫିକ୍ ସମସ୍ୟା, ପୂଜା ମଣ୍ଡପକୁ ଦେଖି ଆସୁଥିବା ଶ୍ରଦ୍ଧାଳୁ କିପରି ଶାନ୍ତି ଶୃଙ୍ଖଳା ର ସହ ପୂଜାକୁ ବୁଲି ଦେଖିବେ ସେ ସମ୍ପର୍କରେ ଗୁରୁତ୍ଵାରୋପ କରିବା ସଙ୍ଗେ ସଙ୍ଗେ ପୂଜା ଭିଡ଼ରେ ମଦ୍ୟପ ଙ୍କ ଉପରେ କଡ଼ା ନଜର ଦେବା ସହିତ ସେମାନଙ୍କ ଉପରେ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ,ଏବଂ ବିଶୃଙ୍ଖଳା ପ୍ରଦର୍ଶନ କରୁୁଥିବା ପୂଜା କମିଟିକୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ। ଉପଜିଲ୍ଳାପାଳ ତଥା କେନ୍ଦ୍ରୀୟ ପୂଜା କମିଟି ର ସଭାପତି ବିଭିନ୍ନ ବିଭାଗ ସହ ଆଲୋଚନା କରି ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ, ଜଳ ଯୋଗାଣ, ଆବଶ୍ୟକ ସ୍ଥଳେ ରାସ୍ତା ନିର୍ମାଣ, ପରିମଳ ବ୍ୟବସ୍ଥା ନେଇ ପରବର୍ତ୍ତୀ ସମୟରେ ବୈଠକ କରାଯାଇ ସମସ୍ତଙ୍କ ସହିତ ସମନୟ ରକ୍ଷାକରି କିପରି ସମସ୍ୟା ବିହୀନ ସରସ ସୁନ୍ଦର ପୂଜା ପାଳନ କରାଯିବ ସେଥିନେଇ ବିହୀତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ସେହିପରି ପୂଜା ଦିନ ଗୁଡ଼ିକରେ ବିଭିନ୍ନ ହୋଟେଲ୍, ରେଷ୍ଟୁରାଣ୍ଟ, ଫାଷ୍ଟଫୁଡ୍ ଓ ଜଳଖିଆ ଦୋକାନ ଇତ୍ୟାଦି ଗୁଡ଼ିକର ଖାଦ୍ୟ ନିରାପତ୍ତା ନେଇ ଫୁଡ୍ ଇନିସ୍ପେକ୍ଟର ଯାଞ୍ଚ କରିବେ। ମୂନିସିପାଲିଟି ପକ୍ଷରୁ ହାଣ୍ଡିଧୂଆ ଅଣ୍ଡର ପାସ ରେ ଆଲୋକୀ କରଣ ସହ ପାଣି ନିଷ୍କାସନ ବ୍ୟବସ୍ଥା ଓ ମୋବାଇଲ୍ ଶୌଚାଳୟ ବ୍ୟବସ୍ଥା କରାଯିବାକୁ ପୌର କର୍ତ୍ତୃପକ୍ଷ ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି। ସେହିପରି ନିରବଚ୍ଛିନ୍ନ ବିଦୁ୍ୟତ୍ ଯୋଗାଣ କରାଯିବାକୁ ବିଦୁ୍ୟତ୍ ବିଭାଗ, ରାସ୍ତାଘାଟ ମରାମତି ପାଇଁ ବିଭାଗୀୟ ଅଧିକାରୀ ଓ ଏମ୍ସିଏଲ୍ ଅଧିକାରୀ ମାନଙ୍କୁ ନେଇ ଅନ୍ୟ ଏକ ବୈଠକ ବସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାକୁ ନିଷ୍ପତ୍ତି ହୋଇଛି। ଗଣେଶ ପୂଜା ସମୟରେ ବିପୁଳ ଜନ ସମାଗମକୁ ଦୃଷ୍ଟିରେ ରଖି ଦୁର୍ଘଟଣାକୁ ରୋକିବା ପାଇଁ ଚଳାଚଳ କରୁଥିବା କୋଇଲା ପରିବହନ (ଟ୍ରେନ/ଟ୍ରକ୍) ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଗତବର୍ଷର ଆୟବ୍ୟୟର ହିସାବକୁ କେନ୍ଦ୍ରୀୟ କମିଟିର କୋଷାଧ୍ୟକ୍ଷ ରଣଜିତ ମହାପାତ୍ର ବିବରଣୀ ପ୍ରଦାନ କରିଥିଲେ।ଢ଼େଙ୍କାନାଳ ସାଂସଦଙ୍କ ପ୍ରତିନିଧି କାଉନ୍ସିଲର ସ୍ଵାଧୀନ ଥମ୍ୱ ପ୍ରମୁଖ ଚଳିତ ବର୍ଷ ଗଣେଶ ପୂଜାକୁ ଆକର୍ଷଣୀୟ ଓ ଶାନ୍ତିଶୃଙ୍ଖଳାରେ ପାଳନ କରାଯିବା ପାଇଁ ମତବ୍ୟକ୍ତ କରିଥିଲେ। ଚଳିତ ମାସ ଶେଷ ସୁଦ୍ଧା କେନ୍ଦ୍ରୀୟ ପୂଜା କମିଟିରେ ପୂଜା କମିଟି ଗୁଡ଼ିକ ଧାର୍ଯ୍ୟ ହୋଇଥିବା ପ୍ରବେଶିକା ଦେୟ ଦାଖଲ କରିବେ ଓ ତାରିଖ ଦିନ ପୂଜାମେଢ଼ ଗୁଡ଼ିକ କ୍ରମାନ୍ୱୟରେ ଯିବା ପାଇଁ ଲଟେରୀ ଉଠାଣ କରାଯିବ। ଏହି ବୈଠକରେ କେନ୍ଦ୍ରୀୟ ଗଣେଶପୂଜା କମିଟିର ଉପସଭାପତି ଡ. ରଶ୍ମିରଞ୍ଜନ ମିଶ୍ର ସ୍ଵାଗତ ଭାଷଣ ସହ ମଞ୍ଚ ପରିଚାଳନା କରିଥିଲା ବେଳେ ଅନ୍ୟତମ ଉପସଭାପତି ପ୍ରକାଶ ମହାରଣା ଗତ ବର୍ଷ କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରିଥିଲେ ସାଧାରଣ ସଂପାଦକ ଦିଲ୍ଳୀପ କୁମାର ପାଣି ବିବରଣୀ ପାଠ ଓ ସମୀକ୍ଷକ ଅଶୋକ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ସାହୁ, ଦେବୀ ମିଶ୍ର, ଇଁ .ରମେଶ ଚନ୍ଦ୍ର ବେହେରା ଜୟନ୍ତ ଭୂତିଆ, ମିଡିଆ ସଂଯୋଜକ ତପନ କୁମାର ମହାରଣା, ଯୁଗ୍ମ ସମ୍ପାଦକ ନିରୋଜ ଦାସ, ସୌଭାଗ୍ୟ ମହାରଣା, ମାନସ ବାଇ ଓ ଜ୍ଞାନେଶ୍ଵର ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀ ଏବଂ ବିଭିନ୍ନ ପୂଜା କମିଟିର ସଭାପତି ତଥା ସଂପାଦକ ଓ କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଦସ୍ୟ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କୋଲିୟରୀ ଥାନା ଆଇଆଇସି ହରିକୃଷ୍ଣ ପ୍ରଧାନ ଙ୍କ ସମେତ ବିଭିନ୍ନ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ।



